ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ନାଟ୍ୟଦିବସ ଅବସରରେ ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଆୟୋଜିତ ଜାତୀୟ ନାଟକ ମହୋତ୍ସବ- ୨୦୨୬ର ଉଦଯାପନ ଦିବସଟି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦ୍ୱାରା ସମାପନ ହୋଇଯାଇଛି । ସକାଳ ଆଠ ଘଟିକାରେ ଏକତ୍ର ରାଉରକେଲାର ମିଳିତ ଆନୁକୂଲ୍ୟରେ ଶତାଧିକ ବୟସ୍କ ଓ ଯୁବକଳାକାରଙ୍କୁ ନେଇ ଏକ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା ଆମ୍ବାଗାନ ଛକ ସ୍ଥିତ ଗୁଣ୍ଡିଚା ମାଉସୀମା’ ମନ୍ଦିରରୁ ବାହାରି ସିଭିକ ସେଣ୍ଟର ଯାଏ ଆସିଥିଲା । ପରେ ଦିବା ଦଶ ଘଟିକାରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂପର୍କର ମିଳିତ ଆନୁକୂଲ୍ୟରେ “ଶିକ୍ଷାନୁଷ୍ଠାନରେ ନାଟକ” ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ରର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ଅଭୟ କୁମାର ଦାସ ଓ ଓଡିଶା ସଂଗୀତ ନାଟକ ଏକାଡ଼େମୀର ସଭ୍ୟ ଗୋପକୃଷ୍ଣ ନାୟକ ଯୋଗଦାନ କରିଥିଲେ । ପ୍ରଫେସର ଡ. ସମର ମୁଦାଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ପ୍ରଥମେ ସଂପର୍କର ସଂପାଦକ ତଥା ବିଶିଷ୍ଟ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର ଶିକ୍ଷାନୁଷ୍ଠାନରେ ନାଟକର ଆବଶ୍ୟକତା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଡ. ସଂଜୟ କୁମାର ହାତୀ, ଡ. ସୁନୀତି ଦେବତା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ସମ୍ମାନିତ ବକ୍ତା ଭାବରେ ଯୋଗଦାନ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଆଲୋଚନା ଚକ୍ରର ପ୍ରାରମ୍ଭରେ ବିଭିନ୍ନ ସ୍କୁଲ କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ନାଟକର ଆବଶ୍ୟକତା ଉପରେ ବହୁଧା ମତବ୍ୟକ୍ତ କରିଥିଲେ । ପରିଶେଷରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏକକ ଅଭିନୟ, ସଂପାନ ତଥା କୌତୁକ ପୋଷାକ ପ୍ରତିଯୋଗିତାର ବିଜେତା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅପରାହ୍ନ ତିନି ଘଟିକାରେ ସଂପର୍କର ନୃତ୍ୟ ବିଭାଗ “ଉପାସନା” ଦ୍ୱାରା ଉପାସନା ନୃତ୍ୟୋତ୍ସବ ଆୟୋଜିତ ହୋଇ ଥିଲା । ଏହାକୁ ଉଦଘାଟନ କରିଥିଲେ ବିଶିଷ୍ଟ ସମାଜସେବୀ କମଲ ଅଗ୍ରୱାଲ, ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ କାରଖାନାର ପୂର୍ବତନ ମହାପ୍ରବନ୍ଧକ ନାରାୟଣ ପତି । ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ବିଶିଷ୍ଟ ଆଇନଜୀବୀ ପ୍ରଦୀପ ନାୟକ । ସ୍ୱର୍ଗତ ଗୁରୁ ବିଚିତ୍ରାନନ୍ଦ ଦଳାଇଙ୍କୁ ଉପାସନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଉରକେଲାର ୧୪ଜଣ ଯୁବ ଓ କିଶୋର ଓଡିଶୀ ନୃତ୍ୟଶିଳ୍ପୀମାନଙ୍କୁ ଯଥାକ୍ରମେ ନୃତ୍ୟଭୂଷଣ ଓ ନୃତ୍ୟଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଉପାସନା ନୃତ୍ୟାନୁଷ୍ଠାନର ଗୁରୁ ସୁଦେଷ୍ଣାରାଣୀ ରାଉତ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ଓ କଟକର ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ । ଉଦଯାପନୀ ସନ୍ଧ୍ୟାର ଉଦ୍ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ଥିବାବେଳେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଦୀପିକା ମହିଳା ସଂଘତିର ସଭାପତି ନମ୍ରତା ବର୍ମା । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ସଂପାଦକ ଭାସ୍କର ଚନ୍ଦ୍ର ମହାପାତ୍ର ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବର ଉଦ୍ଦେଶ୍ୟ ଓ ତାର ସଫଳତା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକାରୀ ସଭାପତି ବିଜୟ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଏବର୍ଷର ନାଟ୍ୟବନ୍ଧୁ ସମ୍ମାନ ଏକତ୍ରର ସବୁ କଳାକାରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରର ବରିଷ୍ଠ ନାଟ୍ୟକାର ଅଭିନେତା ନବୀନ ପରିଡାଙ୍କୁ ସଂପର୍କ ସମ୍ମାନରେ ଓ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଓଡିଶୀ ନୃତ୍ୟାଙ୍ଗନା ମୀରା ଦାସଙ୍କୁ ଉପାସନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏତଦ୍ ବ୍ୟତୀତ ଶ୍ରେଷ୍ଠ ମଂଚଶିଳ୍ପୀ ଭାବରେ ପ୍ରଳୟ ଶତପଥୀ ଓ ଶ୍ରେଷ୍ଠ ଉଦଘୋଷିକା ଭାବେ ଝିଲିମା ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେ ଜାମସେଦପୁରର ପାଥ ନାଟ୍ୟାନୁଷ୍ଠାନ ମନୋଜ ମିତ୍ରଙ୍କ ରଚିତ ମହମ୍ମଦ ନିଜାମଙ୍କ ନିର୍ଦ୍ଦେଶିତ ନାଟକ ‘ପଞ୍ଛି’ ମଂଚସ୍ଥ କରିଥିଲେ । ପକ୍ଷୀ ଆକାଶରେ ଆନନ୍ଦରେ ପରିଭ୍ରମଣ କରିବାକୁ ସବୁବେଳେ ଚିନ୍ତା କରେ । ହେଲେ ଖାଦ୍ୟ ଅନ୍ୱେଷଣରେ ଦିନ ତମାମ ବ୍ୟସ୍ତ ରହି ସେ ଜୀବନ ସାରା ଟିକିଏ ବି ଆନନ୍ଦ ପାଏନା । ଠିକ ସେହିପରି ନିମ୍ନ ଅତି ନିମ୍ନବିତ୍ତ ଶ୍ରେଣୀର ମଣିଷ କିପରି ଜୀବନ ସାରା ସୁଖ ଅନ୍ୱେଷଣରେ ରହି କର୍ମରେ ବ୍ୟସ୍ତ ରହେ ହେଲେ ଟିକିଏ ବି ଶାନ୍ତି ପାଏନା ତାହା ହିଁ ସୁନ୍ଦର ଓ ନିଖୁଣ ଅଭିନୟ ମାଧ୍ୟମରେ ଉପସ୍ଥାପନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ ।
Prev Post