ରାଜ୍ୟସ୍ତରୀୟ ଜେ. ଆର୍‌. ସି. ପରାମର୍ଶଦାତା ତାଲିମ ଶିବିର ଉଦଯାପିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟ ପରିସରରେ ରାଜ୍ୟସ୍ତରୀୟ ଜୁନିଅର ରେଡ଼କ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଧର୍ମଶାଳା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପର୍ଶୁରାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜୁନିଅର ରେଡ଼କ୍ରସର ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳ ମୁଖ୍ୟଅତିଥି ଭାବେ ଯୋଗଦାନ କରି “ଙ୍ଗଷରକ୍ସର ଳଦ୍ଭକ୍ଟଙ୍ଗକ୍ଷରୟଶର ଲବସକ୍ଷଗ୍ଦ ଭରଷବଙ୍ଖସକ୍ଟକ୍ସ ଙ୍ଗସଦ୍ଭଗ୍ଦ”ର ବାର୍ତ୍ତା ଦେବାସହ ଆଚରଣ ପରିବର୍ତନ ଓ ସକ୍ରିୟାତ୍ମକ ଚିନ୍ତାଧାରା ଦ୍ୱାରା ସବୁକିଛି ସମ୍ଭବ ହୋଇପାରେ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜେ. ଆର. ସି. ଓ. ରବିଚନ୍ଦ୍ର ପଶକ୍ଷୟତ ଜେ. ଆର. ସି.ର ମୂଳମନ୍ତ୍ରରେ ଦୀକ୍ଷିତ ହୋଇ ସେବା ମନୋଭାବ ପ୍ରଦର୍ଶନ ପୂର୍ବକ ମାନବକଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ । ବରିଷ୍ଠ ସାଧନ କର୍ମୀ ଚନ୍ଦ୍ରମଣି ବାଘ, ୟୁଥ ରେଡ଼କ୍ରସର ଅଧ୍ୟାପକ ଉଦ୍ଧବ ପଧାନ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ । ଏହି ତିନିଦିନିଆ ଶିବିରରେ ଜିଲ୍ଲାର ୬ଟି ବ୍ଲକରୁ ୬୦ ଜଣ ପ୍ରଶିକ୍ଷାର୍ଥୀ ମାନଙ୍କୁ ରେଡ଼କ୍ରସର ଇତିହାସ, ସପ୍ତନୀତି, ବିଭିନ୍ନ ସଂକେତ ଓ ସେ ସବୁର ଅର୍ଥ, ବିଦ୍ୟାଳୟ ସୁରକ୍ଷା, ସାଇବର ସୁରକ୍ଷା, ପ୍ରାଥମିକ ଚିକିତ୍ସା, ରକ୍ତଦାନର ମହତ୍ୱ, ବିପର୍ଯ୍ୟୟ ପରିଚାଳନା, ଫାୟାର ଫାଇଟିଙ୍ଗ, ଏଚ୍‌ଆଇଭି /ଏଡ୍‌ସ୍‌, ସଡ଼କ ସୁରକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଯୋଗ, ପ୍ରାଣାୟାମ, ଆଦି ବିଷୟ ଉପରେ ପ୍ରଶିକ୍ଷଣ ଦେବା ସହ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି ଦୁର୍ଘଟଣାରୁ ଲୋକଙ୍କୁ କିପରି ବଞ୍ଚାଯାଇ ପାରିବ ତାର ଡେମୋ ସୋନପୁର ଅଗ୍ନିଶମ ବିଭାଗ ତରଫରୁ ଦିଆ ଯାଇଥିଲା । ସୂଚନା ଥାଉ କି ଏହି ଶିବିରର ଉଦଘାଟନ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଲୁଣ୍ଡା ଅଜୟ କୁମାର ଲୁହା, ସୁବର୍ଣ୍ଣପୁର ଜେ. ଆର୍‌. ସିର ଉପ ସଭାପତି ଗତିକୃଷ୍ଣ ମିଶ୍ର, ପୂର୍ବତନ ଜେ. ଆର୍‌. ସି ଓ ସୁରେଶ ପଧାନ ଅତିଥି ଭାବେ ଯୋଗଦାନ କରି ପ୍ରଶିକ୍ଷାର୍ଥୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ସାଧନ କର୍ମୀ ଭାବେ ଅଧ୍ୟାପକ ଉମାକାନ୍ତ ନାଗ, ଆଶିଷ ଅଗ୍ରୱାଲ, ବରଗଡ଼ରୁ ଆସିଥିବା ସାଧନ କର୍ମୀ ଧର୍ମରାଜ ପଧାନ, ଚନ୍ଦ୍ରମଣି ବାଘ, ହୃଷିକେଶ ଡାଙ୍ଗ, ଚନ୍ଦ୍ରଶେଖର ମହାପାତ୍ର, ଅନୁପ୍ରିୟା ମିଶ୍ର, ଚକାନୟନ ମେହେର, ଯୁବ ସାଧନ କର୍ମୀ ହୃଷିକେଶ ଚାନ୍ଦ, ମୁନୁ ସାହୁ, ଜଗଦୀଶ ଦାସ, ହୃଷିକେଶ ଦେହୁରୀ, ବିସିସି ବୈକୁଣ୍ଠ ନାୟକ, ନିମାଇଁ ମଲ୍ଲିକ, ପବିତ୍ର ବାରିକ, ବିଜୟ କୁମାର ପଣ୍ଡା, ବିଶ୍ୱନାଥ ପାଣିଗ୍ରାହୀ ଓ ଶତ୍ରୁଘ୍ନ କର୍ମୀ ପ୍ରମୁଖ ଯୋଗଦାନ କରି ଶିବିରକୁ ପରିଚାଳନା କରିଥିଲେ । ତାଲିମପ୍ରାପ୍ତ ପ୍ରଶିକ୍ଷାର୍ଥୀମାନେ ନିଜ ନିଜ କର୍ମକ୍ଷେତ୍ରରେ ଏହାକୁ ପ୍ରୟୋଗ କରିବା ସହ ମାନବୀୟ ମୂଲ୍ୟବୋଧର ପ୍ରଚାର ପ୍ରସାର ପାଇଁ ଦାୟିତ୍ୱ ନିର୍ବାହ କରିବାକୁ ମତ ପ୍ରକାଶ ପାଇଥିଲା । ପରିଶେଷରେ ପ୍ରଶିକ୍ଷାର୍ଥୀ ଓ ସାଧନ କର୍ମୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ ସହ ଆୟୋଜକ ଧର୍ମଶାଳା ଉଚ୍ଚ ବିଦ୍ୟାଳୟକୁ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.