ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ଉଦଯାପିତ : ଦୁହେଲ ଦଳ ଚାମ୍ପିଆନ, ଲାଠିତରା ଦଳ ଉପବିଜେତା

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଅନ୍ତର୍ଗତ ଜାମୁଟ ହାଇସ୍କୁଲ ଖେଳପଡିଆରେ ଶିକେରପାଟ୍ ୟୁଥ୍ କ୍ଲବର ଆନୁକୂଲ୍ୟରେ ଆୟୋଜିତ ଶିକେରପାଟ୍ ଚାମ୍ପିଅନ ଟ୍ରଫି ୨୦୨୬ ଗତ ୨୩ ତାରିଖରୁ ଆରମ୍ଭ ହୋଇ ମଙ୍ଗଳବାର ଦିନ ଭବ୍ୟ ଓ ସଫଳତାର ସହିତ ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚରେ ଦୁହେଲ ଦଳ ଚମତ୍କାର ପ୍ରଦର୍ଶନ କରି ଚାମ୍ପିଆନ ହେବା ସହ ଲାଠିତରା ଦଳ ଉପବିଜେତା ହୋଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୁଡଭେଲା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ ଦୋରା ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ଜାମୁଟ ସରପଞ୍ଚ ଭାବସିଂ ମାଝୀ, ଶିକ୍ଷାବିତ ତଥା କ୍ରୀଡାପ୍ରେମୀ ନିଳାଞ୍ଚଳ ଭୋଇ, ଜାମୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ବେହେରା, ଓଜିବି ଶାଖା ପରିଚାଳକ ଅଶୋକ ରଥ, ତେନ୍ତୁଳିଖୁଣ୍ଡି ପେକ୍ସ ସଭାପତି ଲବ ପଧାନ, ସମାଜସେବୀ ତନୁ ମହାନନ୍ଦ, ବିଶ୍ୱମିତ୍ର ପଧାନ, ଇତି ବାଗ, ବିନୋଦ ସୁନା ଓ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦଯାପନୀ ଦିବସରେ ପ୍ରଥମ ସେମିଫାଇନାଲ୍ ମ୍ୟାଚରେ ଫଟାମୁଣ୍ଡା ଓ ଲାଠିତରା ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା । ଫଟାମୁଣ୍ଡା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭରରେ ୮୬ ରନ୍ ସଂଗ୍ରହ କରି ଲାଠିତରାକୁ ଲକ୍ଷ୍ୟ ଦେଇଥିଲା । ପ୍ରତିଉତ୍ତରରେ ଲାଠିତରା ଦଳ ୨ ୱିକେଟ୍ ହରାଇ ୯୨ ରନ୍ ସଂଗ୍ରହ କରି ସହଜ ବିଜୟ ସହ ଫାଇନାଲରେ ପ୍ରବେଶ କରିଥିଲା । ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଦୁହେଲ ଓ ବିରାମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦୁହେଲ ଦଳ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୨ ୱିକେଟ୍ ହରାଇ ୧୩୪ ରନ୍ ସଂଗ୍ରହ କରି ବିରାମୁଣ୍ଡାକୁ କଠିନ ଲକ୍ଷ୍ୟ ଦେଇଥିଲା । ବିରାମୁଣ୍ଡା ଦଳ ୪ ୱିକେଟ୍ ହରାଇ ୯୮ ରନ୍ ମାତ୍ର ସଂଗ୍ରହ କରି ପରାଜିତ ହୋଇଥିଲା ଏବଂ ଦୁହେଲ ଦଳ ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲ୍ ମ୍ୟାଚ୍ ଲାଠିତରା ଓ ଦୁହେଲ ମଧ୍ୟରେ ଅତ୍ୟନ୍ତ ଉତ୍ସାହଜନକ ଭାବରେ ଅନୁଷ୍ଠିତ ହୋଇଥିଲା । ଲାଠିତରା ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁହେଲ ଦଳ ନିର୍ଦ୍ଧାରିତ ୬ ଓଭରରେ ୯୬ ରନ୍ ସଂଗ୍ରହ କରି ଲାଠିତରାକୁ ଚ୍ୟାଲେଞ୍ଜିଙ୍ଗ ଲକ୍ଷ୍ୟ ଦେଇଥିଲା । ପ୍ରତିଉତ୍ତରରେ ଲାଠିତରା ଦଳ ୭ ୱିକେଟ୍ ହରାଇ ମାତ୍ର ୩୯ ରନ୍ ସଂଗ୍ରହ କରିପାରିଥିବାବେଳେ ଦୁହେଲ ଦଳ ଭବ୍ୟ ବିଜୟ ସହ ଚାମ୍ପିଆନ ଟ୍ରଫି ହାସଲ କରିଥିଲା । ଉଦଯାପନୀ ସମାରୋହରେ ସମସ୍ତ ଖେଳାଳୀଙ୍କୁ ପ୍ରମାଣପତ୍ର ଓ ମେଡାଲ୍ ପ୍ରଦାନ କରାଯାଇଥିଲା । ଚାମ୍ପିଆନ ଦଳ ଦୁହେଲକୁ ଟ୍ରଫି ସହ ୨୦,୦୦୦ ଟଙ୍କା ନଗଦ ପୁରସ୍କାର ଏବଂ ଉପବିଜେତା ଦଳ ଲାଠିତରାକୁ ଟ୍ରଫି ସହ ୧୨,୦୦୦ ଟଙ୍କା ନଗଦ ପୁରସ୍କାର ଅତିଥିମାନଙ୍କ ହସ୍ତଦ୍ୱାରା ପ୍ରଦାନ କରାଯାଇଥିଲା । ଦୁହେଲ ଦଳର ମୋହନ ନାଗଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମ୍ୟାନ୍ ଅଫ୍ ଦି ସିରିଜ ଟ୍ରଫି ସହ ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ରୀଡା ପ୍ରେମୀ ତଥା ଉପଦେଷ୍ଟା ରସୁଳ ଖାଁ ସମ୍ବର୍ଦ୍ଧିତ କରିବା ସହ ଅନ୍ୟ ୮ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅମ୍ପାୟାର ଭାବରେ ଜେବି ଓ ସୋନୁ ପୂଜାରୀ ସଫଳ ଭାବରେ ମ୍ୟାଚ୍ ପରିଚାଳନା କରିଥିବାବେଳେ, ରାମଦାସ ରଣା ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ ଓ ସଭା ସଂଯୋଜନା କରିଥିଲେ । ନାରାୟଣ ଦାସ ସ୍କୋରର୍ ଭାବରେ ଦାୟିତ୍ୱ ନିର୍ବାହ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଫଳ କ୍ରୀଡା ଆୟୋଜନରେ ଶିକେରପାଟ୍ ୟୁଥ୍ କ୍ଳବର ସମସ୍ତ ସଦସ୍ୟଙ୍କ ଅମୂଲ୍ୟ ସହଯୋଗ ଓ ପରିଶ୍ରମ ପ୍ରଶଂସନୀୟ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.