ବୁଢାଦେଓ ମହୋତ୍ସବ ଉଦଯାପିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ର ବୁଢାଦେଓ ଯାତ୍ରା ଅବସରରେ ଦୁଇ ଦିନ ଧରି ବୁଢାଦେଓ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ବୁଢାଦେଓ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ଅୟୋଜିତ ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାର କାର୍ଯ୍ୟକ୍ରମରେ ଲୋଇସିଂହା ବନ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ଲୋଇସିଂହା ତହସିଲଦାର ଟିକୁନୁ ପୁଟା, ଡା. ସଂଜୀବ ବିଶ୍ୱାଳ ଅତିଥି ଭାବେ ଯୋଗଦାନ କରିଥିଲେ । ବିଶ୍ୱରେ ଆଦିବାସୀ ସଂସ୍କୃତି, ପରମ୍ପରା ଦିନକୁ ଦିନ ଲୋପ ହେବାକୁ ବସିଛି ଏଣୁ ଉକ୍ତ ମହୋତ୍ସବକୁ ଆହୁରି ବ୍ୟାପକ ଭାବେ କରିବାକୁ ଅତିଥିମାନେ ମତ ଦେଇଥିଲେ । ମହୋତ୍ସବର ଦ୍ୱିତୀୟ ଦିନ ସନ୍ଧ୍ୟା ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ମନମୋହନ ପଟେଲ, ଲଳିତ ମୋହନ ସାହୁ ମଞ୍ଚାସୀନ ଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଲାଭ କରିଥିବା ଝରଣୀପାଲି ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ସୁନିତା ସାହୁ, ଝରଣୀପାଲି ଅଙ୍ଗନବାଡି କର୍ମୀ ଶ୍ରୀମତୀ ରଶ୍ମିରେଖା ସାହୁ, ଆଡେନଡୁଙ୍ଗୁରି କୃଷକ ବିରେନ ଭୋଇ, ନଅଗାଁ (ଖ)ର ଅବସରପ୍ରାପ୍ତ ଖେଳ ଶିକ୍ଷକ ସୀତାରାମ ପଧାନ, ପୁରାତନ ବାଜା କଳାକାର ଘାସି ହରପାଲ, କୀତ୍‌ର୍ତ୍ତନ ମହାନନ୍ଦ, ଆଦିବାସୀ ସଂଗଠନରୁ ଗୋବିନ୍ଦ କୁଅଁରଙ୍କୁ ମନ୍ତ୍ରୀଙ୍କ ହସ୍ତରେ ସମ୍ମାନପତ୍ର ସହିତ ଉପଢୌକନ ପ୍ରଦାନ କରାଯାଇଥିଲା । ଦୁଇଦିନ ଧରି ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଂସ୍କୃତିକ ଦଳ ଆସି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପ୍ରଦର୍ଶନ କରିଥିଲେ । ନଅଗାଁର କୁନି କଳାକାର ମାନଙ୍କୁ ନେଇ ତପସ୍ୱିନୀ କାବ୍ୟ ଓ ପାଣ୍ଡେସରା ମହକ କିଶୋରୀ ସଂଗଠନ ତରଫରୁ ବାଲ୍ୟ ବିବାହ ଆଧାରିତ ଏକ ଡ୍ରାମା ପ୍ରଦର୍ଶନ କରାଯାଇଥିଲା । ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାର ସମ୍ପାଦକ ପ୍ରଶାନ୍ତ ନାୟକ ପରିଚାଳନା କରିଥିବା ବେଳେ ଗୋବିନ୍ଦ ଚନ୍ଦ୍ର ବିଶି, ଦିଲୀପ କୁଅଁର, ଦେବଦତ୍ତ ଦଣ୍ଡସେନା, ପ୍ରହଲ୍ଲାଦ ପଧାନ, ପ୍ରଶାନ୍ତ କୁଅଁର, ରଞ୍ଜନ ମହାଲିଙ୍ଗ, ଆଶିଷ ବିଶ୍ୱାଳଙ୍କ ସମେତ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.