ବଲାଙ୍ଗିର, (କେପିଏନ୍ଏସ୍) : ସୁସ୍ଥ ମନ ସୁସ୍ଥ ଶରୀର ଗଠନରେ ସହାୟକ । ସୁସ୍ଥ ଶରୀର ହିଁ ସମୃଦ୍ଧ ବ୍ୟକ୍ତିତ୍ୱର ପରିଚାୟକ । ଏ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସରକାରୀ ମହିଳା ମହାବିଦ୍ୟାଳୟ ବାଲାଙ୍ଗିରର ଦ୍ୱିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣୀ ଉତ୍ସବରେ ଅଧ୍ୟକ୍ଷ ଡ଼. ଅରବିନ୍ଦ କୁମାର ଓଝା ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ଯୋଗ ଦେଇଥିଲେ । ଉପସଭାପତି ରତିକାନ୍ତ ନାଏକ, ଡ଼. ଅନୁରାଧା ମିଶ୍ର, ସୂଚୀତା ଦୋରା, କ୍ରୀଡ଼ା ସଂସଦ ସମ୍ପାଦିକା ସୋହାନି ସାହୁ ପ୍ରମୁଖ ମଂଚାସୀନ ଥିଲେ । ବିଗତ ୯ ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ ବାର୍ଷିକ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଉଭୟ ଯୁକ୍ତଦୁଇ ଏବଂ ଯୁକ୍ତ ତିନି ତଥା ସ୍ନାତକୋତ୍ତର ଶ୍ରେଣୀର ଛାତ୍ରୀଙ୍କ ମଧ୍ୟରେ ଏକାଧିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ୫୧ତମ ସଂଖ୍ୟା ଛୁଇଁ ଥିବା ବେଳେ ଏଥର ଏକାଧିକ ନୂତନ କ୍ରୀଡ଼ା ପ୍ରତିଯୋଗିତା ସାମିଲ କରାଯାଇଥିଲା । ଉଦଯାପନୀ ଦିବସର ସଭାକୁ ଡ. ଅନୁରାଧା ମିଶ୍ର ସଂଚାଳନ କରିଥିବା ବେଳେ ଛାତ୍ରୀ ସୋହାନି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଚଳିତ ବର୍ଷ ଯୁକ୍ତଦୁଇ ସ୍ତର ପାଇଁ ଶ୍ରୀୟଙ୍କା ଫରିକର ଏବଂ ଯୁକ୍ତ ତିନି ତଥା ସ୍ନାତକୋତ୍ତର ସ୍ତର ପାଇଁ ଶ୍ରଦ୍ଧାଞ୍ଜଳି ମିଶ୍ର ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲେ ।