କଣମଣାରେ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କଣମଣା ଗ୍ରାମରେ ସଙ୍ଗଠିତ ହୋଇଆସିଥିବା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଗତ ୨୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ମଧ୍ୟରାତ୍ରିରେ ସମ୍ପନ୍ନ ହୋଇଛି । ସାନ୍ଧ୍ୟ-ରଜନୀରୁ ରାତ୍ରିକାଳୀନ ମଧ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ପରିବେଷଣ ହୋଇଆସିଥିବା ନିଆରା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସନ୍ଧ୍ୟାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସର୍ବମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରି ବହୁସଂଖ୍ୟାରେ ଯୋଗଦେଇଥିବା ଖେଳପ୍ରେମୀମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇଥିଲେ । ଖେଳ ପରିଚାଳନା କମିଟିର କର୍ମକର୍ତ୍ତା ତଥା ସକ୍ରୀୟ ସଦସ୍ୟ ସରୋଜ କୁମାର୍ ବେହେରା, ଜଗଦୀଶ ସେଠୀଙ୍କୁ ଉପଢୌକନ ଦେଇ ମୁଖ୍ୟଅତିଥି ସାଧୁବାଦ ଜଣାଇଥିଲେ । ଉଦଯାପନୀ ସନ୍ଧ୍ୟାରେ ସଂଗଠିତ ହୋଇଥିବା ସେମି- ଫାଇନାଲ୍ ଖେଳରେ ବଡ଼ପୁଟି ସହ ବ୍ରହ୍ମପୁର ଏବଂ ଦାସପୁର ସହ ଛତ୍ରପୁର ଟିମ୍ ମଧ୍ୟରେ ଦୀର୍ଘ ସମୟ ଧରି ଖେଳ ଅନୁଷ୍ଠିତ ହୋଇଥିଲା । ଫାଇନାଲ୍ ଖେଳରେ ବ୍ରହ୍ମପୁର ସହ ଦାସପୁର ମଧ୍ୟରେ ଖେଳର ଏକ ନିଆରା ଭେଟି ହୋଇଥିଲା । ଏଥିରେ ବ୍ରହ୍ମପୁର ଟିମ୍ ବିଜୟୀ ଲାଭ କରି ବିଜେତା ଭାବେ ପୁରସ୍କୃତ ହୋଇଥିଲେ । ଖେଳ ପରିଚାଳନାରେ ଗୋବିନ୍ଦ ନାୟକ ରେଫରି ଭାବେ ଏବଂ ମଣ୍ଟୁ ଉଦଘୋଷକ ଭାବେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି ।

Leave A Reply

Your email address will not be published.