ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ସହଯୋଗରେ ତଥା ସ୍ଥାନୀୟ ସୁରସଂଗମ ସାଂସ୍କୃତିକ ସଂସଦ ଆନୂକୂଲ୍ୟରେ ଲୋଇସିଂହା ମହାବିଦ୍ୟାଳୟ ଠାରେ ଦୁଇଦିନ ଧରି ଅନୁଷ୍ଠିତ ଯୁବ ସାଂସ୍କୃତିକ ମହୋତ୍ସବ ସମାରୋହରେ ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡିଓ ଅକ୍ଷୟ ପାଣି ଉଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କଲେଜର ଅଧ୍ୟକ୍ଷ ବିଭୁଦେନ୍ଦୁ ମହାନ୍ତି, ଲୋଇସିଂହା ଡାକଶାଖାର ମୁଖ୍ୟ ମାନଧାତା ପଣ୍ଡା ଓ ମୁଖ୍ୟବକ୍ତା ଭାବେ ଅଖିଳ ଚନ୍ଦ୍ର ହୋତା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ସଭାପତି ନିସାର ଅହମ୍ମଦ ନିସାରଙ୍କ ସଂଯୋଜନାରେ ପ୍ରାରମ୍ଭିକ ସଂଗୀତ ବନ୍ଦେ ମାତରଂ ଗାନ କରାଯାଇଥିଲା । ଉକ୍ତ ଉତ୍ସବରେ ପୁରାତନ ସମସ୍ତ ନିର୍ବାଚିତ ଛାତ୍ର ସଂସଦର ସଭାପତି, ସଂପାଦକ, ଉପ ସଭାପତିଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏଥିସହିତ ଚାରିଗୋଟି ବିଭାଗରେ ଛାତ୍ରଛାତ୍ରୀଙ୍କୁ ନେଇ ଗୀତନାଚ, ବକୃତା ଓ ଏକକ ଅଭିନୟ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ପୁରାତନ ଛାତ୍ରୀ ରିଫତ୍ ଖାନଙ୍କୁ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଯୋଗୁଁ ସମ୍ୱର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସରୋଜ ମହାକୁର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରୋଜ ବିଶ୍ୱାଳ, ଦେବେନ୍ଦ୍ର ମିସ୍ତ୍ରୀ, ବୁଲୁ ବହିଦାର, ଏବିଡିଓ କିଶୋର ମାନସିଂହ, ଅଧ୍ୟାପକ ସନ୍ତୋଷ ଦାସ, କାହ୍ନୁ ଚରଣ ଦର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।