ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀମଦ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଛତ୍ରପୁର ସହରର ତିରୁପତି ରାଓ ପେଟ୍ଟା ସାହିସ୍ଥ ମା’ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର (ବାଣୀଭବନ) ମଣ୍ଡପରେ ଆୟୋଜିତ ଭବ୍ୟ ଆଧ୍ୟାତ୍ମିକ ଜାଗରଣ କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ସ୍ଵନାମଧନ୍ୟ ପ୍ରବଚକ ଭାଗବତ ଭାସ୍କର ପଣ୍ତିତ ଶ୍ରୀ ଜଗନ୍ନାଥ ପଣ୍ଡାଙ୍କ ଦ୍ଵାରା ଭାଗବତ କଥାମୃତ ପ୍ରବଚନ ସପ୍ତାହବ୍ୟାପୀ ସମାହିତ ହୋଇଯାଇଛି । ପ୍ରତ୍ୟହ ସନ୍ଧ୍ୟା ୬ଘଣ୍ଟା ଠାରୁ ରାତ୍ର ୯ ଘଣ୍ଟା ପର୍ଯ୍ୟନ୍ତ ଭାଗବତ କଥା ବାଣୀ ପ୍ରବଚନ ଏବଂ ଆଧ୍ୟାତ୍ମିକ ଧର୍ମୀ ଭାବନାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଉକ୍ତ ଅଞ୍ଚଳକୁ ଭକ୍ତି ଭାବାପନ୍ନରେ ଗୁଞ୍ଜରିତ କରିଥିଲା । ଅଗଣିତ ଭକ୍ତଜନଙ୍କୁ ଭକ୍ତି ରସାତ୍ମରେ ଭରିଦେଇଥିଲା । ଏହି ଆଧ୍ୟାତ୍ମିକ ଜାଗରଣ ପ୍ରବଚନ ଗତ ୧ ତାରିଖ ସନ୍ଧ୍ୟାରୁ ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆଚାର୍ଯ୍ୟ ବେଦମୂର୍ତ୍ତି ପଣ୍ତିତ ସୁମନ ପଣ୍ଡା, ମଞ୍ଚ ପରିଚାଳନାରେ ଜ୍ୟୋତିର୍ବିଦ୍ ଦୀପକ କୁମାର ଦାଶ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦୈନିକ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରି ପ୍ରବଚନ ସନ୍ଧ୍ୟାକୁ ଋଦ୍ଧିମନ୍ତ କରିଥିଲେ । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯଥାରୀତିରେ ପୂଜାର୍ଚ୍ଚନା ସହ ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇ ଅପରାହ୍ନ ୪ଘଣ୍ଟିକାରେ ପୂର୍ଣ୍ଣାହୁତି ସହ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟା ବେଳେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ସାଂଗକୁ ପିତୃମାତୃ ପୂଜନ ପଦ୍ଧତି ଏବଂ ଏହାର ମହତ୍ତ୍ୱ ସ୍ୱତନ୍ତ୍ର ବିଷୟରେ ଛାତ୍ରଛାତ୍ରୀଙ୍କୁ ଓ ଜନସାଧାରଣଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା । ଶେଷରେ ଅଗଣିତ ଭକ୍ତଗଣଙ୍କ ନିମନ୍ତେ ଅନ୍ନପ୍ରସାଦ ବ୍ୟବସ୍ଥା ହୋଇଥିଲା । ଅନ୍ନ-ଭୋଗରେ ଆପ୍ୟାୟିତ ହୋଇ ଭକ୍ତିଭାବପୂର୍ଣ୍ଣରେ ଭକ୍ତଜନ ଖୁସି ମନାଇଥିଲେ ।
Next Post