- ଚମ୍ପିୟାନ ଦଳ କୁଟୁମଡୋଳାକୁ ପୁରସ୍କୃତ କଲେ ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଧିଆପାଲି ପଂଚାୟତର ବୀରମୁଣ୍ଡା ଠାରେ ରବିଚନ୍ଦନ ସ୍ମୃତି କମିଟି ତରଫରୁ ରବିଚନ୍ଦନ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ୫ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତାରେ ଏହି ଅଂଚଳର ୧୬ ଗୋଟି ଦଳ ଭାଗ ନେଇଥିଲେ । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳ କୁଟୁମଡୋଳା ଓ ଖୁଣ୍ଟପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳରେ କୁଟୁମଡୋଳା ଏକାଦଶ ଖୁଣ୍ଟପାଲି ଏକାଦଶ ଠାରୁ ୫ ୱିକେଟରେ ବିଜୟୀ ହୋଇ ଚମ୍ପିୟାନ ଘୋଷିତ ହୋଇଛି । ଉଦ୍ଯାପନୀ ଉତ୍ସବରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କହିଥିଲେ ଏ ଅଂଚଳରେ ଖେଳ ପଡିଆ ନ ଥିବା ସତ୍ୱେ ଖେଳାଳିମାନେ ହତୋତ୍ସାହିତ ନ ହୋଇ ଏହି ପ୍ରତିଯୋଗିତାକୁ ଦ୍ୱିତୀୟ ବର୍ଷରେ ପହଂଚାଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ଯେପରି ଭିତ୍ତିଭୂମି ନ ଥାଇ ଅତୀତରେ ଅନେକ ହକି ଖେଳାଳି ବାହାରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାର ବାଧ୍ୟ ହୋଇ ସେ ଅଂଚଳର ହକି ଭିତ୍ତିଭୂମିକୁ ବିକାଶ କରିଥିଲା, ସେଥିରୁ ଆମକୁ ଅନେକ କିଛି ଶିଖିବାର ଅଛି । ଆମେ ଧର୍ଯ୍ୟହରା ନ ହୋଇ ଖେଳ ଓ ପ୍ରତିଯୋଗିତା ଆୟୋଜନକୁ ଜାରି ରଖିବା ଦରକାର । ଏହା ନିଶ୍ଚିତ ଭାବେ ଭବିଷ୍ୟତରେ ଆମକୁ ଭିତ୍ତିଭୂମି ଯୋଗାଇବାକୁ ସହାୟକ ହେବ । ମୁଁ ଚେଷ୍ଟା କରିବି ଏ ଅଂଚଳରେ ଜମିର କିସମକୁ ଦେଖି କେଉଁଠି ଯୁବକମାନଙ୍କ ପାଇଁ ଏକ ଖେଳ ପଡିଆ ତିଆରି କରିହେବ ସେ ଦିଗରେ ପଦକ୍ଷେପ ନେବି ବୋଲି ଶ୍ରୀ ମିଶ୍ର କହିଥିଲେ । ଶ୍ରୀ ମିଶ୍ର ଚମ୍ପିୟାନ ଦଳକୁ ନଗଦ ରାଶି ୧୪ହଜାର ସହ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ । ରନର୍ସ ଦଳକୁ ୧୦ହଜାର ଟଙ୍କା ନଗଦ ରାଶି ପୁରସ୍କୃତ କରାଯାଇଥିଲା । ଫାଇନାଲ ଖେଳରେ ମ୍ୟାନ୍ ଅଫ୍ ଦି ମ୍ୟାଚ ବୁଲୁ ବାରିକଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ବୀରମୁଣ୍ଡା ଅଂଚଳର ରୋଶନ ପ୍ରଧାନ, ମନୁ ନାଗ, ଶିଶୁପାଲ ସୁନା, ଋଷି ମହାନନ୍ଦ, ଟୁନା ନାଗ, ରଶ୍ମି ରଂଜନ ସାଗର ପରିଚାଳନା କରିଥିବା ବେଳେ ଗୌନ୍ତିଆ ତ୍ରିନାଥ ରାଉତ ଓ ଅନ୍ୟାନ୍ୟ ଲୋକେ ଉପସ୍ଥିତ ଥିଲେ ।