ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ମିନିଷ୍ଟାଡିୟମ୍ ଠାରେ ଚାଲୁଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ୟୁନାଇଟେଡ କ୍ଲବ ବରଗଡ ଓ ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ୟୁନାଇଟେଡ କ୍ଲବ ବରଗଡ ୪-୦ଗୋଲରେ ବିଜୟୀ ହୋଇଥିବା ସୂଚନା ମିଳିଛି । ଫାଇନାଲ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବଲାଙ୍ଗିର ଫୁଟବଲ ଆସୋସିଏସନର ସଭାପତି ଡକ୍ଟର ଶ୍ରୀକର ମିଶ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ସୁରେଶ ମହାଲିଙ୍ଗ, ଲୋଇସିଂହା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ରମାକାନ୍ତ ସେଠ, ବଲାଙ୍ଗିର ଫୁଟବଲ ଆସୋସିଏସନର ସଂପାଦକ ଶରତ କୁମାର ନନ୍ଦ, ଆଗଲପୁରର ସମାଜସେବୀ ତଥା ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ମେହେର ଯୋଗ ଦେଇଥିଲେ । ବିଜୟୀ ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ୩୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ଟ୍ରଫି ସହ ନଗଦ ଅର୍ଥ ରାଶି ୨୦ ହଜାର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଫାଇନାଲ ଖେଳ ପୂର୍ବରୁ ଆଗଲପୁର ବର୍ଷିୟାନ ଦଳ ଓ ବଲାଙ୍ଗିର ବର୍ଷିୟାନ ଦଳ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପରେ ପରେ ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଥିଲା । ଉଭୟ ଦଳର ଖେଳାଳି ଉନ୍ନତମାନର ଖେଳ ପ୍ରଦର୍ଶନ କରି ଫୁଟବଲ ପ୍ରେମୀ, ଦର୍ଶକମାନଙ୍କୁ ଖେଳ ଆରମ୍ଭରୁ ଖେଳ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲେ । ଉକ୍ତ ଫାଇନାଲ ମ୍ୟାଚ୍ରେ ରେଫରି ଭାବେ ନୀଳ ନାଏକ, ସମସିନ କୁଡେଇ, ଦେବାଶିଷ ବାଗ ଓ କରୁଣାକର ପଧାନ ଖେଳ ପରିଚାଳନା କରିଥିଲେ । ଦୀର୍ଘ ସାତଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆଗଲପୁର ଫୁଟବଲ ଆସୋସିଏସନର ସଭାପତି ଭିକାରି ବାଗ, ସଂପାଦକ ବ୍ୟୋମକେଶ ତ୍ରିପାଠୀ, ଓ ସଂଯୋଜକ ସୁଧାଂଶୁ ସେଠ ଅତି ସୁନ୍ଦର ତଥା ସୂଚାରୁ ରୂେପ ପରିଚାଳନା କରିଥିଲେ ।