ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବାହାଲ ହାଇସ୍କୁଲରେ ସୋମବାର ଦେଓଗାଁ ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ୨୦୨୪ ଉଦ୍ଯାପିତ ହୋଇଯାଇଛି । ବିଆର୍ସିସି ଅଜିତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ମମତା ମହାଡ଼ିକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ କବିରାଜ ମାଝୀ, ଦାଶରଥୀ ଥନାପତି, ସ୍ଥାନୀୟ ସରପଞ୍ଚ ଜୋତ୍ସାମୟୀ ରଣା, ସମିତି ସଭ୍ୟ ସିତାଂଶୁ ମିଶ୍ର ଓ ସ୍କୁଲ ପରିଚାଳନା କମିଟିର ସଭାପତି ବିଜୟ ରଣା ଯୋଗ ଦେଇଥିଲେ । ପ୍ରଦର୍ଶନୀରେ ହାଇସ୍କୁଲ ସ୍ତରରେ ୩୭ଟି ଛାତ୍ର ଓ ଓ ୫୭ଟି ଛାତ୍ରୀ ମୋଟ୍ ୯୪ଟି ପ୍ରକଳ୍ପ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୩୪ଟି ଛାତ୍ର ଓ ୩୪ଟି ଛାତ୍ରୀ ମୋଟ୍ ୬୮ଟି ପ୍ରକଳ୍ପ ସର୍ବମୋଟ ପ୍ରଦର୍ଶନୀରେ ୧୬୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ହାଇସ୍କୁଲ ସ୍ତରରେ ବିଚାରକ ଭାବେ କରମତଲା ହାଇସ୍କୁଲର ଜଗଦିଶ ମିଶ୍ର ଓ କେରମେଲି ହାଇସ୍କୁଲର ସୌମ୍ୟରଞ୍ଜନ ମହାନ୍ତୀ ଓ ଉଚ୍ଚ ପ୍ରାଥମିକ ସ୍ତରରେ ଦେଓଗାଁ ସିଆର୍ସିସି ସୁଶାନ୍ତ ମହାନ୍ତି ଓ ଗୁଡ଼ଭେଲା ବ୍ଲକ ଦେମୁହାଣ ହାଇସ୍କୁଲର ଶିକ୍ଷକ ହୃଷିକେଶ ମେହେର ଦାୟୀତ୍ୱ ନେଇଥିଲେ । ବ୍ଲକସ୍ତରୀୟ ବାଳ ବୈଜ୍ଞାନିକ ଓ ବିଜ୍ଞାନ ମେଳାର ସ୍ଥାୟୀ ଆବାହକ ତଥା ଦେଓଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇ, ସଂଯୋଜକ ସତ୍ୟବାଦୀ ହାଇସ୍କୁଲ ଧଣ୍ଡାମାଲର ସହକାରୀ ଶିକ୍ଷକ ରାଜକିଶୋର ମିଶ୍ର ଓ ସଂଗଠାନିକ ସଂପାଦକ ଭାବେ ବଡ଼ବହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜକୁମାର ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦ୍ଯାପନୀ ଉତ୍ସବରେ ବିଇଓ ସୁଶ୍ରୀ ମମତା ମହାଡ଼ିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଓ ମୁଖ୍ୟବକ୍ତା ଭାବେ ଅର୍ଜୁନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଚିନ୍ନୟ ପାଢ଼ୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେଓଗାଁ ବ୍ଲକର ସମସ୍ତ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଓ ସହକାରୀ ଶିକ୍ଷକ ସହଯୋଗ କରିଥିଲେ ।
Prev Post