ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସଇଁତଲା ପଞ୍ଚାୟତ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆଠାରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା ପକ୍ଷରୁ ପଂଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ସଇଁତଲା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଓଜେୟୁ ସଭାପତି ପ୍ରମୋଦ କୁମାର ସେଲମା ଯୋଗଦାନ କରି ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉକ୍ତ ସଭାରେ ଯୁବ ସାମ୍ବାଦିକ ବିଶାଲ ଅଗ୍ରୱାଲ, ଜିଲ୍ଲା ଏମ୍ବିସି ପ୍ରତିନିଧି ନାରାୟଣ ସାହୁ, ଏମ୍ବିକେ ନମିତା ପୁଟେଲ, ପୂର୍ବତନ ୱାର୍ଡମେମ୍ବର ବିଶ୍ଵାମିତ୍ର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏଥିରେ ଅତିଥିମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ଉପରେ ମାର୍ଗଦର୍ଶନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ଉଦ୍ୟାନ, କୃଷି, ଶିକ୍ଷା, ମମତା, ସ୍ୱାସ୍ଥ୍ୟ, ପ୍ରାଣୀସମ୍ପଦ ଷ୍ଟଲମାନ ଖୋଲା ଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକର ରୂପାନ୍ତରିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ଉପରେ ଲୋକମାନଙ୍କୁ ସଚେତନ କରାଯାଇଥିଲା । ପରେ କଳାକାର କୈଳାଶ କୁମ୍ଭାର ଓ ସୁରେଶ ନାଗଙ୍କ ନେତୃତ୍ୱରେ ସମ୍ବଲପୁରୀ ଗୀତନାଚ, କିଚକ ବଦ୍ଧ ନାଟକ ମଞ୍ଚସ୍ଥ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଅଙ୍ଗନୱାଡି, ସିଆର୍ପିସିଏମ୍, ସ୍ୱୟଂ ସହାୟକ ଦଳ, ବ୍ୟାଙ୍କ ମିତ୍ରଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ପୋଲିସ, ସଇଁତଲା ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।