ଜୟପାଟଣା ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକସ୍ତରୀୟ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା ବ୍ୟାପକ ଉତ୍ସାହର ସହ ଉଦ୍‌ଯାପିତ ହୋଇଯାଇଛି । ମଙ୍ଗଳବାର ବାନେର ସ୍ଥିତ ମାଆ ବୁଢ଼ୀ ପଦରେନ ମନ୍ଦିରରୁ ଆଠ କିଲୋମିଟର ମାରାଥନ ଦୌଡ଼ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବୁଧବାର ଦିନ ବ୍ଲକର ୨୨ଟି ପଞ୍ଚାୟତରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ବ୍ଲକସ୍ତରୀୟ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । ଗୁରୁବାର ସକାଳୁ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକରିଙ୍କ ତାଳଗୁଡ଼ ପୀଠରୁ ବିଡିଓ ଧର୍ମରାଜ ମାଝୀଙ୍କ ନେତୃତ୍ୱରେ ସମସ୍ତ ସରପଞ୍ଚ ଓ ଶତାଧିକ ଯୁବ ପ୍ରତିଭା ଦଶ କିଲୋମିଟର ରାସ୍ତା ଅତିକ୍ରମ କରି ଜୟପାଟଣା ଠାକୁରାଣୀ ମନ୍ଦିରରେ ପହଞ୍ଚିବା ପରେ ଅଧ୍ୟକ୍ଷ ଥବିର ବାଗ ଓ ସମସ୍ତ ସମିତି ସଭ୍ୟ, ସଭ୍ୟା ମଶାଲ ଗ୍ରହଣ କରିଥିଲେ । ସେଠାରୁ ଘଣ୍ଟ ବାଦ୍ୟ, ଘୁମୁରା ବାଜାଶାଳର ତାଳେ ତାଳେ ଶତାଧିକ କଳାପ୍ରେମୀ ଓ ଆୟୋଜକ ମଣ୍ଡଳୀ ୨୩ଟି ମଶାଲ ସହିତ ଭବ୍ୟ ପଟୁଆରରେ ନଗର ପରିକ୍ରମା ପୂର୍ବକ ଆୟୋଜିତ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡିଆଠାରେ ମଶାଲ ସ୍ଥାପନ କରିଥିଲେ । ସେଠାରେ ମଶାଲକୁ ଭବ୍ୟ ସ୍ଵାଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରତିଯୋଗିତା ସହ କବି ସମ୍ମିଳନୀ, ଅନ୍ତାକ୍ଷରୀ, ମେହେନ୍ଦୀ, ଝୋଟି, ଆଦି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସାଂସ୍କୃତିକ ଓ ପୁରସ୍କାର ବିତରଣ ସନ୍ଧ୍ୟା ଆସରକୁ ଅଧ୍ୟକ୍ଷ ଥବିର ବାଗ ସଭାପତିତ୍ୱ କରିଥିବା ବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ପ୍ରତିଭାର ପରିପ୍ରକାଶ ପାଇଁ କଳାହାଣ୍ଡି ଉତ୍ସବ ଘୁମୁରା ଏକ ଅନବଦ୍ୟ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ଉପାଧ୍ୟକ୍ଷ ଜାନକୀ ବାଣୁଆ, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ରାଉତ, ବିଡିଓ ଧର୍ମରାଜ ମାଝୀ, ତହସିଲଦାର ରଘୁନାଥ ମୁଣ୍ଡାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କୃଷି, ଉଦ୍ୟାନ, ମତ୍ସ୍ୟ ଓ ଆଦର୍ଶ ଶିକ୍ଷକଙ୍କୁ ମାନପତ୍ର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଥାନୀୟ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ଵାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ, ଘୁମୁରା ଓ ସର୍ବୋପରି କୋଟପାଡ଼ର ଆଦିବାସୀ ନୃତ୍ୟରେ ସମସ୍ତ ଦର୍ଶକ ଓ ଆୟୋଜକମାନେ ଝୁମି ଉଠିଥିଲେ । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ପଣ୍ଡା, ଅନନ୍ତ କୁମାର ପଣ୍ଡା, ବିଭୂତି ପାଣିଗ୍ରାହୀ, ଯଶୋଦା ପଟ୍ଟନାୟକ, ସତ୍ୟବତୀ ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିଲେ । ସଂଗଠକ ରୁଦ୍ର ପାଣିଗ୍ରାହୀ, ଅର୍ଜୁନ ପଟ୍ଟନାୟକ, ଦିଲ୍ଲୀପ କୁମାର ରାଉତ, ବିଭୂତି ପାଣିଗ୍ରାହୀ, ସୁଶିଲ କୁମାର ନାଏକ, ସୌଦାମିନୀ ଦ୍ୱିବେଦୀ, ସୀତାରାମ ନାଏକ, କୃଷ୍ଣଚନ୍ଦ୍ର ରାଉତ, ଜଗ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବ୍ଲକର ପଞ୍ଚାୟତସ୍ତରୀୟ ପ୍ରଦର୍ଶନ ପାଇଁ ଭେଜିଗୁଡ଼ା ପଞ୍ଚାୟତକୁ ପ୍ରଥମ, ହୀରାପୁରକୁ ଦ୍ଵିତୀୟ ଓ ଜୟପାଟଣା ପଞ୍ଚାୟତକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ମଞ୍ଚ ପାର୍ଶ୍ଵରେ କୃଷି, ଉଦ୍ୟାନ, ପ୍ରାଣୀ ସମ୍ପଦ, ମତ୍ସ୍ୟ, ବ୍ୟାଙ୍କ ଆଦି ବିଭାଗ ଦ୍ଵାରା ବିଭିନ୍ନ ଯୋଜନା ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.