ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଉଦ୍ଯାପିତ ହୋଇଯାଇଛି । ଏଥିରେ ଶାନ୍ତିପଡ଼ା ତଥା ଆଖପାଖ ଅଂଚଳର ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ୍ ହୋଇ କାର୍ଯ୍ୟକ୍ରମକୁ ସଫଳତା ପ୍ରଦାନ କରିଛନ୍ତି । ଗତ ୧୨ ତାରିଖ ଦିନ ସଂଧ୍ୟାରେ ଶାନ୍ତିପଡ଼ାରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ପାଇଁ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୫ ତାରିଖ ଦିନ ଅପରାହ୍ନ ୩ ଘଟିକାରୁ ଆରମ୍ଭ ହୋଇଥିଲା ନାମଯଜ୍ଞ । ନାମଯଜ୍ଞ ଚାଲିଥିବା ବେଳେ ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବଲାଙ୍ଗିର ସହରର ଜନନେତାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଶୁଭକାମନା ଆଜି ଆମକୁ ସଫଳତା ପ୍ରଦାନ କରିଛି ବୋଲି ଶାନ୍ତିପଡ଼ା ଟାଇଗର୍ ୟୁଥ୍ କ୍ଲବ ପକ୍ଷରୁ କୁହାଯାଇଛି । ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ନରେ ନାମଯଜ୍ଞ ସମାପନ ହୋଇଥିବା ବେଳେ ଏବେ ଚାଲିଛି ସଦାଇପାଲି ମାହେଶ୍ୱରୀ କୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ କୀର୍ତ୍ତନ କାର୍ଯ୍ୟକ୍ରମ । ଆଜି ସଂଧ୍ୟାରେ ନଗର ପରିକ୍ରମା ସହ କଳସ ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ । ଆଜି ରୀତିନୀତି ଅନୁସାରେ ଅଗ୍ରପୂଜ୍ୟ ଗଣେଶ, ସଂକଟମୋଚନ ପଞ୍ଚମୁଖୀ ହନୁମାନ ଏବଂ ଗ୍ରହରାଜ ଶନିଦେବଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଗ୍ରହ ସ୍ଥାପନ ହୋଇଛି । ଆଜି ରାତିରେ ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥିବା ଶାନ୍ତିପଡ଼ା ଟାଇଗର୍ ୟୁଥ୍ କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ୩ ଦିନ ଧରି ଉତ୍ସବମୁଖର ହୋଇଥିଲା ଶାନ୍ତିପଡ଼ା । ନୂତନ ଭାବେ ଗଠିତ ଶାନ୍ତିପଡ଼ା ବଜରଙ୍ଗବଲି ମହିଳା କୀର୍ତ୍ତନ ମଣ୍ଡଳୀ ତଥା ଶାନ୍ତିପଡ଼ାବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଅଂଚଳର ପ୍ରତ୍ୟେକ ପରିବାରଙ୍କ ଏଥିରେ ଯୋଗଦାନ କରିଥିବା ବେଳେ ଶାନ୍ତିପଡ଼ା ଟାଇଗର୍ ୟୁଥ୍ କ୍ଲବ୍ର ସଦସ୍ୟମାନେ ଅଥୋଚିତ ପରିଶ୍ରମ କରି ସଫଳତାର ସହ କାର୍ଯ୍ୟକ୍ରମ ସମାପନ କରିଛନ୍ତି ।