ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉଦ୍‌ଯାପିତ

  • ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି କରିବା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିର ଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆଜି ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଓଡିଶା ବିଧାନ ସଭାର ଉପ ମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ସଫଳତାର ସହ ଆୟୋଜନ ହୋଇଥିବାରୁ ଅଭିନନ୍ଦନ ଜଣାଇଥିଲେ । ଧାନ ଚାଷ ସହ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଓ ପନିପରିବା ଚାଷ ପ୍ରତି ଜିଲ୍ଲାର ଚାଷୀମାନେ ଆକୃଷ୍ଟ ହେବା ସହ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର କରି ଫସଲ ଉତ୍ପାଦନ ବୃଦ୍ଧି ଦିଗରେ ଚେଷ୍ଟିତ ହେବାକୁ ପରାମର୍ଶ ଦେଇଥିଲେ । ସରକାରଙ୍କ କୃଷି ଓ କୃଷକ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରିବା ସହ ସେମାନେ ଏସବୁ ଯୋଜନା ଗୁଡିକରୁ କିପରି ଲାଭାନ୍ଵିତ ହୋଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଧୁନିକ କୃଷି ଯନ୍ତ୍ରପାତି ବ୍ୟବହାର ଦ୍ଵାରା ଅଧିକ ଅମଳ କରାଯାଇପାରିବ ତେଣୁ ଚାଷୀମାନେ ଏହାର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କରେ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣା ଉଦ୍‌ଯାପନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୋତ୍ସାହନ ଜରିଆରେ ଚାଷୀ ବିଶେଷ କରି ଯୁବ ଚାଷୀମାନେ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଜରିଆରେ ଜିଲ୍ଲାର ୧୦୦ ଜଣ ଚାଷୀଙ୍କ ଦରଖାସ୍ତ ମଞ୍ଜୁର କରାଯାଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିବା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ କୃଷି ଉଦ୍ୟୋଗ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷ୍ୟା ଲିକା ସାହୁ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ ନିମନ୍ତେ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ମୃତ୍ତିକା ସଂରକ୍ଷଣ, ପ୍ରାଣୀ ସମ୍ପଦର ବିକାଶ, ଜୈବିକ ସାରର ବ୍ୟବହାର ସମ୍ପର୍କରେ ଆଲୋକପାତ କରିଥିଲେ । ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଫାର୍ମ ଯାନ୍ତ୍ରିକକରଣ ଓ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶେଶ୍ଵର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିବା ସହ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆୟୋଜନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଟିଟିଲାଗଡ ବ୍ଲକ କୁଶକେଲା ଗ୍ରାମର ସଫଳ ଚାଷୀ ଭାଗ ଶବର, ବଲାଙ୍ଗିର ଲର୍କିପାଲିର ସଫଳ ଚାଷୀ ମନମୋହନ ରାଉତ ଓ ପାଟଣାଗଡ ବ୍ଲକ ଭଇଁଷାର ସଫଳ ଚାଷୀ ଅଜୁ ନାୟକଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ଲୋଇସିଂହ।ର ହରିପ୍ରିୟା ସ୍ଵୟଂ ସହାୟକ ଗୋଷ୍ଠୀ, ବଲାଙ୍ଗିରର ଜୟ ବୁଢାରଜା ସ୍ଵୟଂ ସହାୟକ ଗୋଷ୍ଠୀ, ବେଲପଡାର ଜୟ ମା’ ପାର୍ବତୀ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗୁଡଭେଲାର ଜୟ ସିକେରପାଟ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବିଦ୍ୟୁତ ଚାଳିତ ମିନି ଡାଲି ମିଲ୍‌ ପ୍ରଦାନ କରାଯାଇଥିଲା । ସେହିପରି ୬ ଜଣ ଚାଷୀଙ୍କୁ ବିଭିନ୍ନ କମ୍ପାନୀର ଟ୍ରାକ୍ଟର ଚାବି ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାରେ ୫ କୋଟି ୨୪ ଲକ୍ଷ ଟଙ୍କାର ବିଭିନ୍ନ କୃଷି ଯନ୍ତ୍ରପାତି ସବସିଡି ଦରରେ ୩୬୮ ଜଣ ଚାଷୀଙ୍କୁ ପରମିଟ ଦିଆଯାଇଛି । ସଭାରେ ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡାର ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ କୃଷି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତିକୃଷ୍ଣା ନାଏକ, ସୁନନ୍ଦା ସାହୁ, ବିମ୍ବାଧର ସାହୁ, ସୁଧାକର ନନ୍ଦ, ଜ୍ୟୋତ୍ସ୍ନାରାଣୀ ଛୁରା, ଇଂ ରେଣୁକା ନାଏକ, ପୂର୍ଣ୍ଣିମା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.