ଖଡ଼ିଆଳ ମହୋତ୍ସବ ଉଦ୍‌ଯାପିତ

ନୂଆପଡା, (ନିରାକାର ମେହେର) : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତା ବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩ ଗୁରୁବାର ଷ୍ଟାର ନାଇଟ ସହ ଉଦ୍‌ଯାପିତ ହୋଇଯାଇଛି । ଚଳିତ ବର୍ଷ ଏହି ମହୋତ୍ସବ ୫ ଦିନ ବ୍ୟାପି ଚାଲିଥିବା ବେଳେ ଲକ୍ଷ୍ୟାଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ନେତାମନ୍ତ୍ରୀଙ୍କ ସହ ସାଂସ୍କୃତିକ ଦଳମାନେ ଯୋଗ ଦେଇଥିଲେ । ମହୋତ୍ସବର ଶେଷ ରାତିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବାଣିଜ୍ୟ ପରିବହନ ମନ୍ତ୍ରୀ ଓ ଜଳ ସମ୍ପଦ ମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ, ଛତିଶଗଡ଼ ମନ୍ତ୍ରୀ, ଜୟପୁର ବିଧାୟକ, ଖଡ଼ିଆଳ ଏନ୍‌ଏସି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ତେବେ ୫ ଦିନ ଧରି ଚାଲିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଛତିଶଗଡ଼, ବିହାର, ରାଜସ୍ଥାନ, ଆସାମ, କୋଲକତାର ସାଂସ୍କୃତିକ ଦଳମାନଙ୍କ ସହ ପଶ୍ଚିମ ଓଡିଶାର ସମ୍ବଲପୁରୀ ନୃତ୍ୟ ଓ ଗୀତରେ ମହୋତ୍ସବ ପୁରି ଉଠିଥିଲା । ଏହାସହ ବଲିଉଡ ଷ୍ଟାର ଗାୟକ ଉଦିତ୍‌ ନାରାୟଣଙ୍କ ଗୀତ ଶୁଣିବାକୁ ମହୋତ୍ସବ ପଡିଆ ଜନ ସମୁଦ୍ର ହୋଇ ଉଠିଥିଲା ।

Leave A Reply

Your email address will not be published.