ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ହୃଷିକେଶ ରାୟ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ପ୍ରାୟୋଜିତ ଛାତ୍ରୀ ଆତ୍ମ କୌଶଳ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଉଦ୍ଯାପିତ ହୋଇଯାଇଛି । ଚଳିତ ମାସ ୪ ତାରିଖରେ ଏହି କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ଯୁକ୍ତଦୁଇ ପ୍ରଥମ ବର୍ଷର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୨୩୬ ଜଣ ଛାତ୍ରୀ ଏହି ତାଲିମ ଗ୍ରହଣ କରିଥିଲେ । ବିଗତ ୧୦ ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ସୁନ୍ଦରଗଡ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନର ବରିଷ୍ଠ ଉପସଭାପତି ତଥା ପ୍ରଗତି ଉତ୍କଳ ସଙ୍ଘର ସମ୍ପାଦକ ରାଧାମୋହନ ନାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ । ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମାରୋହ ଉତ୍ସବ ଆରମ୍ଭ ହୋଇଥିଲା । ଅଧ୍ୟକ୍ଷ ଶ୍ରୀ ସାହୁ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଯେ, ମଣିଷ ପାଖରେ ଶାରୀରିକ ଶକ୍ତି, ପ୍ରାଣିକ ଶକ୍ତି, ମାନସିକ ଶକ୍ତି ଓ ଆତ୍ମିକ ଶକ୍ତି ରହିଛି, ଯାହାକୁ ତାଲିମ ପୂର୍ବକ ଜାଗ୍ରତ କରି ବିଶ୍ୱ ଶକ୍ତି ସହ ଯୋଡିବାର କାମଟି ହେଉଛି ଶିକ୍ଷା । ମୁଖ୍ୟ ଅତିଥି ଶ୍ରୀ ନାୟକ ଛାତ୍ରୀମାନଙ୍କୁ ଉପଯୁକ୍ତ ଖାଦ୍ୟ ଓ ଶାରୀରିକ ବ୍ୟାୟାମ କଥା ବୁଝାଇ କହିଥିଲେ । ଜଙ୍କ ଫୁଡ୍ ନ ଖାଇବାକୁ ସେ ପରାମର୍ଶ ଦେଇଥିଲେ । ଛାତ୍ରୀ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ବବିତା ମିଶ୍ର ସଭା ପରିଚାଳନା ସହ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ସମସ୍ତ ଅଂଶଗ୍ରହଣକାରୀ ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି, ଅଧ୍ୟକ୍ଷ, ପ୍ରାଧ୍ୟାପକ ରଜନୀ କାନ୍ତ ମିଶ୍ର, ସୁପ୍ରଭା ବେହେରା, ଅଜୟ କୁମାର ସୁନ୍ଦର ରାୟ ପ୍ରମୁଖ ପ୍ରମାଣପତ୍ର ବଣ୍ଟନ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ସ୍ନେହା ମହାପାତ୍ର ଓ ସୁଶ୍ରୀ ସ୍ମୃତିରାଣୀ ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ।
Prev Post
Next Post