- ଭିଡ଼ିଓ ଭାଇରାଲ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ପୋଲିସ ହଟ୍ଟହଟା । ପୋଲିସ ସହ ଧସ୍ତାଧସ୍ତି ସହ ମାରପିଟ୍ କଲେ ଗାଁର କିଛି ଲୋକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ବିରିପାଲି ଗାଁରେ । ଗାଁର ପ୍ରେମୀ ଯୁଗଳ କିଛି ଦିନ ହେବ ଫେରାର ଥିଲେ । ଉଭୟ ବିରିପାଲି ଗାଁର ହୋଇଥିବା ବେଳେ ହୁହେଁ ଅଲଗା ଅଲଗା ଜାତିର । ତେଣୁ ଏହି ପ୍ରେମକୁ ଝିଅ ଘର ଲୋକ ବିରୋଧ କରୁଥିଲେ । ଝିଅ ଘର ଲୋକ ଏନେଇ ତାଙ୍କ ଝିଅ ନିଖୋଜ ହୋଇଥିବା ନେଇ ଏତଲା ମଧ୍ୟ ଦେଇଥିଲେ । ପୋଲିସ ଏତଲାକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଝିଅ ନିଖୋଜ ନୁହେଁ ବରଂ ଗାଁର ଜଣେ ପିଲାଙ୍କୁ ପ୍ରେମ କରୁଥିଲା ଏବଂ ତା’ ସହ ଯାଇଥିବା ଜାଣିବାକୁ ପାଇଥିଲା । ତେବେ ପ୍ରେମୀ ଯୁଗଳ ଗାଁରେ ଲୁଚିଥିବା ପୋଲିସ ଖବର ପାଇବା ପରେ ଗାଁକୁ ଯାଇ ପ୍ରେମୀ ଯୁଗଳକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ଗାଁର କିଛି ଲୋକ ଗାଁ କଥା ଗାଁରେ ଵିଚାର କରାଯିବ ଏବଂ ତାଙ୍କୁ କିଏ ଉଦ୍ଧାର କରି ନେଇ ପାରିବ ନାହିଁ ବୋଲି କହି ପୋଲିସକୁ ବିରୋଧ କରିଥିଲେ । ପୋଲିସ କାଳେ ବିରୋଧ କରୁଥିବା ଲୋକ ପ୍ରେମୀଯୁଗଳଙ୍କୁ ଆକ୍ରମଣ କରିବେ ସେ ଆଶଙ୍କାରେ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଯାଇ ଆକ୍ରୋଶର ଶିକାର ହେବା ସହ ଧସ୍ତାଧସ୍ତି ସହ ମାରପିଟ ହୋଇଥିବା ଦେଖିବାକୁ ମିଳିଛି । ଶେଷରେ ପୋଲିସ ପ୍ରେମୀଯୁଗଳଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି । ଅନ୍ୟ ପକ୍ଷରେ ପୋଲିସ ଉପରେ ଆକ୍ରମଣ କରିଥିବା କିଛି ଲୋକଙ୍କ ନାଁରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବଲାଙ୍ଗିର ଏସ୍ପି ଅଭିଳାଷ ଜି ପ୍ରତିକ୍ରିୟା ଦେଇଛନ୍ତି ।