ଇନ୍ଦ୍ରାବତୀ ଉଠା ଜଳ ସେଚନ କେନାଲରୁ ଯୁବକର ମୃତଦେହ ଉଦ୍ଧାର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ସୁନମାଲ ପାବ୍‌ଲି ଗାଁ ସୀମାନ୍ତରେ ଜଣେ ଯୁବକର ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଖବରରୁ ପ୍ରକାଶ ଯେ, ଜୟପାଟଣା ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ବୁଟୁ ଯାନି (୪୦) ନିକଟ ପାବ୍‌ଲି ଗ୍ରାମକୁ ସୋମବାର ଦିନ କୌଣସି ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯାଇଥିଲା । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କେନାଲ ହୁଡାରେ ମୃତକର ଚପଲ ଓ ଗାମୁଛା ଦେଖି ସନ୍ଦେହ ହେବାରୁ ଜୟପାଟଣା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର କରିଥିଲେ । ଉଭୟ ବିଭାଗ ଘଟଣା ସ୍ଥଳରେ ଉପସ୍ଥିତ ରହି କେନାଲ ମଧ୍ୟରେ ଅଧିକ ସ୍ରୋତ ଥିବାରୁ ରାତିରେ ଫେରି ଆସିଥିଲେ । ପୁଣି କେନାଲ ପାଣି ବନ୍ଦ ହେବା ପରେ ବଡିଭୋରରୁ କେନାଲ ମଧ୍ୟରେ ଶବ ଭାସୁଥିବାର ଦେଖି ଥାନାକୁ ଖବର ଦେଇଥିଲେ । ପରେ ଉଭୟ ଅଗ୍ନିଶମ ଓ ପୋଲିସର ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିଲା । ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି କେତେକ ଏହାକୁ ଏକ ସୁଚିତିନ୍ତ ହତ୍ୟା ବୋଲି ଅନୁମାନ କରୁଥିବା ବେଳେ ପୋଲିସ ତଦନ୍ତ ପରେ ଘଟଣା ପଦାକୁ ଆସିବ ବୋଲି ଆଲୋଚନା ହେଉଛି । ସଂପୃକ୍ତ ଘଟଣାକୁ ମିଶାଇ ମାସକ ମଧ୍ୟରେ ଭାସିଯାଇ ତିନିଜଣଙ୍କ ଜୀବନ ଯାଇଥିବା ବେଳେ ଏହାର ପ୍ରତିକାର ପାଇଁ ପ୍ରଶାସନିକ ପଦକ୍ଷେପ ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ଉଠୁଛି ।

jittmm
Leave A Reply

Your email address will not be published.