ତିଗିରିଆ : କୂଅରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ବାସୁଦେବପୁର ଗ୍ରାମର ଏକ କୂଅରୁ ମୃତଦେହ ଉଦ୍ଧାର ହୋଇଛି । ତିଗିରିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସୂଚନାନୁଯାୟୀ, ଦୁଇ ଦିନ ତଳେ ମାଣିଆ ବନ୍ଧ ଥାନା ଅନ୍ତର୍ଗତ ଭଗବତପୁର ଗ୍ରାମର ମାନସ ନାୟକ ନୂଆପାଟଣା ଯାତ୍ରା ଦେଖି ଆସି ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର ପତ୍ତା ମିଳିନଥିଲା । ମଙ୍ଗଳବାର ସକାଳେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ବାସୁଦେବପୁର ଗ୍ରାମର ଏକ କୂଅରେ ମାନସଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ତିଗିରିଆ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ଭିତରୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ମାନସଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୁଲିସ ଏନେଇ ତଦନ୍ତ ଚଳାଇଛି ।
