ଜି ସାର୍ଥକର ଦିଦି ନଂ-୧ ସୋ’ରେ ସୁନ୍ଦରଗଡ଼ ଜିଲ୍ଲାରୁ ଉଦ୍‌ଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଉଦ୍‌ଘୋଷିକା ମୋନାଲିସା ସାହୁଙ୍କୁ ବିଭିନ୍ନ ମଞ୍ଚରେ ଆପଣମାନେ ଦେଖିଥିବେ । ସେ ନିଜର ବାକ୍ ଚାତୁରୀ ମାଧ୍ୟମରେ ଦର୍ଶକ ମାନଙ୍କୁ ବାନ୍ଧି ରଖିବାର କଳା କୌଶଳ ପ୍ରଦର୍ଶନ କରିଥିବା ମଧ୍ୟ ଜାଣିଥିବେ । ଓଡ଼ିଶାର ବିଭିନ୍ନ ମଞ୍ଚରେ ସେ ଉଦ୍‌ଘୋଷିକା ଭାବେ ସଫଳତାର ସହ ନିଜ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଯେପରି ତାଳଚେର ମହୋତ୍ସବ, ବାଲିକୁଦା ମହୋତ୍ସବ, ବିଶ୍ୱ କପ୍ ହକି, ବୋଇତ ବନ୍ଦାଣ ମହୋତ୍ସବ, ଆହୁରି ଅନେକ ବଡ଼ ବଡ଼ ମଞ୍ଚରେ ନିଜର ଉଦ୍‌ଘୋଷିକାର କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ହଜାରରୁ ଅଧିକ ମଞ୍ଚରେ ଉଦ୍‌ଘୋଷିକା କାର୍ଯ୍ୟ ସମ୍ପାଦନ କରି, ଦେଢ଼ଶହରୁ ଅଧିକ ଶ୍ରେଷ୍ଠ ଉଦ୍‌ଘୋଷିକା ଭାବେ ସମ୍ମାନିତ ହୋଇ ପୁରସ୍କୃତ ହୋଇଛନ୍ତି । ଏହା ସହିତ ଜି ସାର୍ଥକରେ ପ୍ରସାରିତ ଦିଦି ନଂ -୧(ନୂଆ ଓଡ଼ିଶାର ନୂଆ ଉତ୍ସବ ୨୦୨୪)ରେ ସୁନ୍ଦରଗଡ଼ ଜିଲ୍ଲାରୁ ପ୍ରତିନିଧିତ୍ଵ କରି ଫାଇନାଲ୍‌ ରାଉଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ତାଙ୍କର ନୃତ୍ୟ, ଗୀତରେ ଆଗ୍ରହ ଅଛି । ଯେଉଁଥି ପାଇଁ ପ୍ରଥମ ୨ ରାଉଣ୍ଡରେ ନିଜର ଉକୃଷ୍ଟ କଳାକୃତି ପ୍ରଦର୍ଶନ ଯୋଗୁଁ ବୋନସ୍‌ ପଏଣ୍ଟ ପାଇ ଦିଦି ନଂ -୧ ଟ୍ୟାଗ୍‌ ମଧ୍ୟ ଗ୍ରହଣ କରିଥିଲେ, ସେଥିରେ ପ୍ରଦର୍ଶିତ ବିଭିନ୍ନ ରାଉଣ୍ଡ ଯଥା ନୃତ୍ୟ, ଗୀତ, ଖେଳ, ରୋଷେଇ, ବୁଦ୍ଧିମତ୍ତା ଏବଂ ପାରିବାରିକ ରାଉଣ୍ଡରେ ମଧ୍ୟ ନିଜର ଉକୃଷ୍ଟ ପ୍ରତିଭାର ଦକ୍ଷତା ପ୍ରଦର୍ଶନ କରିଥିଲେ । ସେହି ମଞ୍ଚରେ ଚତୁର୍ଥ ରାଉଣ୍ଡରେ ତାଙ୍କର ପିତା ଧନୁର୍ଦ୍ଧର ସାହୁ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ । ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା ତଥା ସମଗ୍ର ଓଡ଼ିଶାବାସୀଙ୍କର ଭଲପାଇବା ଏବଂ ଅଶ୍ରିବାଦ ତାଙ୍କ ଉପରେ ରହିଛି ବୋଲି ସେ କହିଛନ୍ତି । ସମ୍ପ୍ରତ୍ତି ସୁଶ୍ରୀ ସାହୁ ଡ. ଆମ୍ବେଦକର ମେମୋରିଆଲ୍‌ ରେସିଡେନ୍‌ସିଆଲ୍‌ ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟରେ ରସାୟନ ବିଭାଗରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଅଛନ୍ତି ।

Leave A Reply

Your email address will not be published.