- ସମ୍ପର୍କ ଆୟୋଜିତ ନାଟକ ଅସ୍ମିତା ମଞ୍ଚସ୍ଥ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ସଂପର୍କ ଦ୍ୱାରା ଆୟୋଜିତ ବିଶ୍ୱ ନାଟ୍ୟଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ ରଘୁନାଥପାଲିର ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ କର କମଳରେ ସ୍ଥାନୀୟ ସିଭିକ ସେଣ୍ଟରଠାରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବର ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପିକା ମହିଳା ସଂହତିର ସଭାପତି ନମ୍ରତା ବର୍ମା ଏପରି ଅଭୂତପୂର୍ବ ଜାତୀୟ ନାଟକ ମହୋତ୍ସବ ଆୟୋଜନ କରି ସଂପର୍କ ରାଉରକେଲାର ନାଟ୍ୟ ପରମ୍ପରାକୁ ଋଦ୍ଧିମନ୍ତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିବା ବରିଷ୍ଠ ନାଟ୍ୟକାର ତଥା ଶିକ୍ଷାବିତ ଡକ୍ଟର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ରାଉରକେଲା ପରି ଉପାନ୍ତ ସହରରେ ଏପରି ଜାତୀୟ ନାଟକ ମହୋତ୍ସବ ଆୟୋଜନ ନିଶ୍ଚିତ ପ୍ରଶଂସାଯୋଗ୍ୟ ବୋଲି ଅଭିମତ ରଖିଥିଲେ । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା । ରାଉରକେଲାର ବରିଷ୍ଠ ଅଭିନେତା ଆଲୋକ ବୋଷଙ୍କୁ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଗଙ୍ଗାଧର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ । ଝିଲିମା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଆଶାଲତା ଦାସ, ରୁନୁ ବେକ୍, ସନ୍ଧ୍ୟାରାଣୀ ଦାସ, କଲ୍ୟାଣୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ବ୍ୟକ୍ତିର ଅସ୍ମିତା ବା ସ୍ୱାଭିମାନ କିପରି ଜାତିର ସ୍ୱାଭିମାନକୁ ଋଦ୍ଧିମନ୍ତ କରେ ତାକ ଏହି ମୂଳତତ୍ୱକୁ ଆଧାର କରି ରଚିତ ନାଟ୍ୟକାର ଭାସ୍କର ମହାପାତ୍ରଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଅସ୍ମିତା” ସଂପର୍କର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ନାଟକରେ ଭରି ରହିଥିବା ମନଛୁଆଁ କାହାଣୀ, ସଂଘାତ, ଉଦବେଗ, ରହସ୍ୟ ଦର୍ଶକଙ୍କ ମନକୁ ଦେଢଘଣ୍ଟା କାଳ ବାନ୍ଧି ରଖିଥିଲା । ଶକ୍ତି ପ୍ରସାଦ ମିଶ୍ରଙ୍କ ସୁମଧୁର ସଂଗୀତ, ରାକେଶ ଶତପଥୀଙ୍କ ଆଖିଝଲସା ଆଲୋକ ସଂପାତ, ପ୍ରଳୟ ଶତପଥୀଙ୍କ ଆକର୍ଷଣୀୟ ମଂଚ ସଜ୍ଜା ସାଂଗକୁ ସୁରେନ୍ଦ୍ର ପାଢୀ, ବିଜୟ ପାତ୍ର, ସୁଦଷ୍ଣାରାଣୀ ରାଉତ, ପୁଷ୍ପଲତା ବିଶୋଇ, ନିବେଦିତା ଦାସ, ଅନୁସୃତି ନାୟକ, ବିବେକାନନ୍ଦ ଦାଶଙ୍କ ସହିତ ଭାସ୍କର ମହାପାତ୍ରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତାକାଲିର ନାଟକ ମାୟା ପୁରୀ, ମଞ୍ଚସ୍ଥ କରିବେ ଥିଏ ଲାଇଟ କୋଲକାତାର କଳାକାରମାନେ ।