ମେଘାସନୀ ମହୋତ୍ସବ -୨୦୨୬ ଉଦଘାଟିତ

  • ପ୍ରଥମ ସନ୍ଧ୍ୟାରେ ସାନ୍ତାଳୀ ସଙ୍ଗୀତରେ ଦର୍ଶକ ମତୁଆଲା

ବାରିପଦା, (ଦେବସ୍ମିତ ଚୌଧୁରୀ) : “ମେଘାସନୀ ମହୋତ୍ସବ -୨୦୨୬” ତଥା ସ୍ୱଦେଶୀ ଓ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଯୋଗଦେଇ ସୁଭଦ୍ରା ଯୋଜନାରେ ମିଳୁଥିବା ଆର୍ଥିକ ସହାୟତା ଯୋଗୁଁ ମହିଳାମାନଙ୍କୁ ନୂଆ ପରିଚୟ ମିଳିପାରିଛି ବୋଲି ନିଜ ଅଭିଭାଷଣରେ ମତ ରଖିଛନ୍ତି । ଏହି ଯୋଜନା ଏବେ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି । ଏହାଯୋଗୁଁ ଆମ ମାଆ ଭଉଣୀମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି ବୋଲି ସାଂସଦ ଶ୍ରୀମତୀ ମହାନ୍ତ ମତବ୍ୟକ୍ତ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ବଡ଼ସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଭାରତୀ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସୟ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠୁପାଲୀ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମା ନନ୍ଦ ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ମଞ୍ଚ ପରିଚାଳନା କରିଥିଲେ । ସଭାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ୍ ଏହି ମହୋତ୍ସବ ଦ୍ୱାରା “ଏକ ଜିଲ୍ଲା ଏକ ଉତ୍ପାଦ” କୁ ପ୍ରୋତ୍ସାହିତ କରାଯାଉଛି ବୋଲି ସୂଚନା ଦେଇଛନ୍ତି । ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ କରିବା ଏହି ମେଳାର ଉଦ୍ଦେଶ୍ୟ । ଏଥିରେ ସୁଭାଦ୍ରା ଶକ୍ତି ସମ୍ପର୍କିତ ଷ୍ଟୋଲ ଗୁଡ଼ିକରେ ମହିଳାମାନେ ଆସି ମହିଳା ଶକ୍ତି ଓ ଆତ୍ମନିର୍ଭରଶୀଳତା ସମ୍ପର୍କରେ କାହାଣୀ ବଖାଣିବା ସହ ଲକ୍ଷପତି ଦିଦି ଆସି ନିଜର ଅଭିଜ୍ଞତା ବାଣ୍ଟିବେ ବୋଲି ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ୍ ପ୍ରକାଶ କରିଛନ୍ତି । ଏହି ଉଦଘାଟନୀ ସମାରୋହରେ ସାନ୍ତାଳୀ ଗାୟିକା କଳ୍ପନା ହାଁସଦାଙ୍କ ସୁମଧୁର ସଙ୍ଗୀତରେ ଦର୍ଶକଗଣ ମତୁଆଲା ହୋଇଛନ୍ତି । ଏହି ଅବସରରେ ବିଧାୟକ ବଡ଼ସାହି ଶ୍ରୀ ସନାତନ ବିଜୁଳି ନିଜ ଚିରା ଚରିତ ଢଙ୍ଗରେ ହୃଦୟ ଛୁଆଁ ଓଡ଼ିଆ ସଙ୍ଗୀତ ଗାନ କରିଥିଲେ । କଳା, ସଙ୍ଗୀତ ଓ ସଂସ୍କୃତିର ଅପୂର୍ବ ମିଶ୍ରଣ ସନ୍ଧ୍ୟାରେ ଦେଖିବାକୁ ମିଳିଛି । ସେହିପରି ଦ୍ୱିତୀୟ ଦିନ ଅବସରରେ ଗୌତମ ମହାନ୍ତ ଓ ସାଥୀଙ୍କ ଝୁମର ସଙ୍ଗୀତ କାର୍ଯ୍ୟକ୍ରମ, ତୃତୀୟ ଦିନରେ ରାଗା ମିଶ୍ରଣ ସଙ୍ଗୀତ, ଚତୁର୍ଥ ଦିନରେ ସୌରଭ ଭରଦ୍ୱାଜ ଓ ସାଥୀ କଳାକାରଙ୍କ ଭଜନ ସନ୍ଧ୍ୟା, ପଞ୍ଚମ ଦିନରେ ରାଜସ୍ଥାନୀ କଳାକାରଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ, ଷଷ୍ଠ ଦିନରେ ସ୍ୱଦେଶୀ ପରିଧାନ ପ୍ରଦର୍ଶନ, ସପ୍ତମ ଦିନରେ ଆଞ୍ଚଳିକ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ ସୋରେନ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁଭାଶିଷ ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ପ୍ରକଳ୍ପ ସଂଯୋଜକ (ସୁଭଦ୍ରା ଶକ୍ତି) ନିରଞ୍ଜନ ପଣ୍ଡା, ଜିଲ୍ଲା ପ୍ରକଳ୍ପ ପରିଚାଳକ ନବୀନ ସେନାପତି, ଓରମାସ୍ ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.