ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟରେ ପିଏମ୍ଶ୍ରୀ ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକମାନଙ୍କ ବୁଟ୍ କ୍ୟାମ୍ପ ତୃତୀୟ ପର୍ଯ୍ୟାୟ ଉଦ୍ଘାଟିତ ହୋଇଯାଇଛି । ୨୦୨୬ ଜାନୁଆରୀ ୭ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ତିନି ଦିନିଆ ଇନୋଭେସନ, ଡିଜାଇନ ଏବଂ ଏଣ୍ଟରପ୍ରିନରସିପ୍ (ଆଇଡ଼ିଲ) ବୁଟ୍ କ୍ୟାମ୍ପ ତୃତୀୟ ପର୍ଯ୍ୟାୟ ଆନୁଷ୍ଠାନିକ ଭାବେ ଆଜି ଉଦ୍ଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକ୍ଷିତ ଏହି ଜାତୀୟ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସୃଜନଶୀଳ ଚିନ୍ତାଧାରା ଓ ଉଦ୍ୟୋଗୀ ମନୋଭାବର ବିକାଶ କରିବା । ଏହି କାର୍ଯ୍ୟକ୍ରମ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏବଂ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ବେଳେ ୱାଧୱାନି ଫାଉଣ୍ଡେସନ ଏଥିରେ ନଲେଜ ପାର୍ଟନର ଭାବେ ସହାୟତା ପ୍ରଦାନ କରୁଛି । ଏହି ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହ ଆଜି ବିପିୟୁଟିର ଛେଣ୍ଡ୍ କ୍ୟାମ୍ପସ ସ୍ଥିତ ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଏଆଇସିଟିଲ-ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ ସେଲ୍ ଆଞ୍ଚଳିକ ସଂଯୋଜକ ବିଭ୍ରମ ବ୍ୟାସ, ୱାଧୱାନି ଫାଉଣ୍ଡେସନର ବିଶେଷଜ୍ଞ ଶ୍ରୀମତୀ ବାଣୀ ଗନ୍ଧା ଏବଂ ବିପିୟୁଟିର କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମାରୋହରେ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରି ବିଭ୍ରମ ବ୍ୟାସ କହିଥିଲେ ଯେ, ଏଭଳି ପଦକ୍ଷେପ ଶିକ୍ଷକମାନଙ୍କୁ ସ୍କୁଲ ସ୍ତରରୁ ହିଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନବସୃଜନ ଭିତ୍ତିକ ଏବଂ ଉଦ୍ୟୋଗୀ ମନୋଭାବ ସୃଷ୍ଟି କରିବାରେ ସଶକ୍ତ କରିଥାଏ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ଜାତୀୟ ଶିକ୍ଷାନୀତି ୨୦୨୦ର ଉଦ୍ଦେଶ୍ୟଗୁଡ଼ିକୁ ଶ୍ରେଣୀଗୃହରେ କାର୍ଯ୍ୟକାରୀ କରିବାରେ ଶିକ୍ଷକମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଏବଂ ଏହି ବୁଟ୍କ୍ୟାମ୍ପ ସେହି ଲକ୍ଷ୍ୟ ହାସଲ କରିବାରେ ଏକ ମହତ୍ୱପୂର୍ଣ୍ଣ ଅବଦାନ ରଖିବ । ନିଜ ଅଭିଭାଷଣରେ ପ୍ରଫେସର ଅମିୟ କୁମାର ରଥ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଏବଂ ଦେଶର ସାମଗ୍ରିକ ପ୍ରଗତିରେ ଅବଦାନ ରଖିବାରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ଉପରେ ଆଲୋକପାତ କରିଥିଲେ । ସେ ବିଦ୍ୟାଳୟ ସ୍ତରୀୟ ଶିକ୍ଷାର ମୂଳଦୁଆର ଗୁରୁତ୍ୱ ବିଷୟରେ କହିଥିଲେ ଏବଂ ଏଆଇ ପିଟିଲ ଓ ୱାଧୱାନି ଫାଉଣ୍ଡେସନ ଅଂଶଗ୍ରହଣକାରୀମାନଙ୍କ ଠାରୁ ନିରନ୍ତର ମତାମତ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ ଓ ପରିମାର୍ଜିତ କରିବାକୁ ପରାମର୍ଶ ଦେଇଥିଲେ । ଶ୍ରୀମତୀ ବାଣୀ ଗନ୍ଧା ବୁଟ୍ କ୍ୟାମ୍ପର ମୂଳ ଉଦ୍ଦେଶ୍ୟଗୁଡ଼ିକ ବିଷୟରେ ସୂଚନା ଦେଇ ସମସାମୟିକ ଶିକ୍ଷାଦାନ ପଦ୍ଧତିରେ ଡିଜାଇନ୍ ଥିଙ୍କିଙ୍ଗର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକମାନଙ୍କ ପାଇଁ ଏକ କ୍ରିୟାଶୀଳ ଏବଂ କାର୍ଯ୍ୟ-ଆଧାରିତ ଶିକ୍ଷଣ ପ୍ଲାଟଫର୍ମ ଭାବରେ ବର୍ଣ୍ଣନା କରିଥିଲେ । ଶ୍ରୀମତୀ ନିଶି ପୁନମ ମିଞ୍ଜ ଆଜିର ଦ୍ରୁତ ପରିବର୍ତ୍ତନଶୀଳ ଶିକ୍ଷା କ୍ଷେତ୍ରରେ ସମାଲୋଚନାତ୍ମକ ଚିନ୍ତାଧାରା, ସମସ୍ୟା ସମାଧାନ ଏବଂ ଅନୁକୂଳତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା ସହ ଶିକ୍ଷକମାନଙ୍କୁ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଏବଂ ସେମାନଙ୍କର ଶିକ୍ଷାକୁ ଶ୍ରେଣୀଗୃହରେ ରୂପାନ୍ତରଣକାରୀ ପଦ୍ଧତିରେ ପ୍ରୟୋଗ କରିବାକୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ମନୋଜ କୁମାର ସାହୁଙ୍କ ଧନ୍ୟବାଦ ଅର୍ପଣ ସହ ଉଦ୍ଘାଟନୀ ସମାରୋହ ସମାପ୍ତ ହୋଇଥିଲା । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରକରଣ ଦ୍ୱାରା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୬ଟି ଜିଲ୍ଲାରୁ ମନୋନୀତ ୧୮୮ ଜଣ ଅଧ୍ୟକ୍ଷ, ପ୍ରଧାନଶିକ୍ଷକ ଏବଂ ଶିକ୍ଷକ ଏହି ପର୍ଯ୍ୟାୟରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅଂଶଗ୍ରହଣକାରୀମାନେ ମାନବ କେନ୍ଦ୍ରିତ ଡିଜାଇନ୍, ସୃଜନଶୀଳ ସମସ୍ୟା ସମାଧାନ ଏବଂ ଚିନ୍ତାଧାରାକୁ ବାସ୍ତବ ଜଗତରେ କିପରି ପ୍ରୟୋଗ କରାଯିବ ସେ ସମ୍ପର୍କରେ ବ୍ୟବହାରିକ ଶିକ୍ଷା ଲାଭ କରିବେ । ଏହି ଅଧିବେଶନରେ ଅଂଶଗ୍ରହଣକାରୀମାନଙ୍କୁ ନବସୃଜନର ଯାତ୍ରା ବିଷୟରେ ପରିକଳ୍ପନା ଏବଂ ଡିଜାଇନ୍ ଠାରୁ ଆରମ୍ଭ କରି ବ୍ୟବସାୟିକ ମଡେଲିଂ, ମୌଳିକ ଯୋଜନା ଏବଂ ବିଭିନ୍ନ ରଣନୀତି ଯଥା ପରୀକ୍ଷଣ, ପାଣ୍ଠି ସଂଗ୍ରହ ଓ ବିସ୍ତାର ସମ୍ପର୍କରେ ମାର୍ଗଦର୍ଶନ କରିବ ଓ ବାସ୍ତବିକ ଅଭିଜ୍ଞତା ପ୍ରଦାନ କରିବ । ଅଂଶଗ୍ରହଣକାରୀମାନେ ଏକ ସ୍ଥାନୀୟ ଇନକ୍ୟୁବେସନ ସେଣ୍ଟର ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ ପରିଦର୍ଶନ କରିବେ, ଯାହା ସେମାନଙ୍କୁ କାର୍ଯ୍ୟକାରୀ ହେଉଥିବା ନୂତନ ପ୍ରୟୋଗଗୁଡ଼ିକୁ ନିକଟରୁ ଦେଖିବାର ସୁଯୋଗ ପ୍ରଦାନ କରିବ । ଏହି ଅଂଶଗ୍ରହଣକାରୀମାନଙ୍କୁ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏବଂ ଭାରତ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ବିଷୟରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛି । ଯାହା ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନକୁ ପ୍ରୋତ୍ସାହିତ କରିବାରେ ସହାୟକ ହେବ । ଏହି ବୁଟ୍କ୍ୟାମ୍ପରେ ଅଂଶଗ୍ରହଣକାରୀଙ୍କୁ ଭାରତୀୟ ଷ୍ଟାର୍ଟଅପ୍ ବ୍ୟବସ୍ଥା ଏବଂ ଭାରତ ସରକାରଙ୍କ ବିଭିନ୍ନ ସହାୟକ ପଦକ୍ଷେପ ବିଷୟରେ ଅବଗତ କରାଯିବା ସହ ଏଥିରେ ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ସୁବିଧାଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବ ।
Next Post