ମ୍ୟୁନିସିପାଲ୍ ମହାବିଦ୍ୟାଳୟରେ ପଞ୍ଚଦିବସୀୟ ଅଧ୍ୟାପନା ବିକାଶ କାର୍ଯ୍ୟକ୍ରମ ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମ୍ୟୁନିସିପାଲ୍ ମହାବିଦ୍ୟାଳୟ ଓ ପିଏମ୍ ଉଷାର ମିଳିତ ସହଯୋଗରେ, ଅଧ୍ୟାପନା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପଞ୍ଚଦିବସୀୟ କର୍ମଶାଳା, “ଉଚ୍ଚ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ପ୍ରସଙ୍ଗ, ଆହ୍ୱାନ ଏବଂ ପ୍ରସ୍ତାବ” ଆରମ୍ଭ ହୋଇଯାଇଛି । ଏ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟରର କୁଳପତି ପ୍ରଫେସର ଅମୀୟ କୁମାର ରଥ ମାନବ ବିକାଶଧାରାରେ ତାର୍କିକ ଚିନ୍ତାର ଗୁରୁତ୍ତ୍ୱ ଓ ଏ.ଆଇ. ର ପରିସର ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ, ପାନପୋଷ ତଥା ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟ କୁମାର ନାୟକ ଆଧୁନିକ ସମାଜରେ ଏ.ଆଇ. ର ଆବଶ୍ୟକତା ସଂପର୍କରେ ଆଲୋଚନା କରି କହିଥିଲେ ଯେ ଏହା ତଥ୍ୟ ପ୍ରଦାନ କରିବାରେ ନିପୁଣ କିନ୍ତୁ ଗୁରୁଙ୍କ ସ୍ଥାନ ନେବାରେ ଅସମର୍ଥ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ସନାତନ ପଧାନ ଯୋଗଦେଇ ମହାବିଦ୍ୟାଳୟର ଗରିମା ତଥା ଏ.ଆଇ. ର ବିଶେଷ ପ୍ରୟୋଜନତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଏନ୍.ଆଇ. ଟି. ରାଉରକେଲାର ମ୍ୟାନେଜମେଣ୍ଟ ବିଭାଗର ପ୍ରଫେସର ରାଜୀବ କୁମାର ପଣ୍ଡା ‌ଯୋଗଦାନ କରି ପୁରାଣ ପ୍ରସଙ୍ଗରେ କ୍ରମରେ ଦ୍ରୋଣାଚାର୍ଯ୍ୟ, ଏକଲବ୍ୟ ସମୟର ଶିକ୍ଷାରେ ଆଜିର ଆଧୁନିକ ଯୁଗୀୟ ଶିକ୍ଷାରେ ଏ.ଆଇ. ର ପ୍ରତିଫଳନ ସଂପର୍କରେ ଆଲୋକପାତ କରିଥିଲେ । ଏହି କର୍ମଶାଳାଟି ଦୁଇ ପର୍ଯ୍ୟାୟ ବିଶିଷ୍ଟ ଭାବେ ଅନୁଷ୍ଠିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହାବିଦ୍ୟାଳୟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷା ରୁମା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ପ୍ରିୟଙ୍କା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ ବିଜୟ କୁମାର ପାଢ଼ୀ କର୍ମଶାଳାର ଅବଧି, ପର୍ଯ୍ୟାୟ ଓ ରୂପରେଖ ପ୍ରଦାନ କରିଥିଲେ, କାର୍ଯ୍ୟକ୍ରମ ସଂଯୋଜକ ଆକାଶ ଚନ୍ଦ୍ର ଦାସ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଆଶୀର୍ବାଦ ମାଝି ଏହାର ସହ ସଂଯୋଜନାର ଦାୟୀତ୍ୱ ନେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଏକ୍ସଆଇଏମ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡା. ଦେବେନ୍ଦ୍ର କୁମାର ଯାଦବ ଏ. ଆଇ. ର ଶିକ୍ଷା କ୍ଷେତ୍ରରେ ପ୍ରୟୋଗ ଓ ବହୁମୂଖୀ ଉପଯୋଗୀତା ସଂପର୍କରେ ଆଲୋଚନା କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୧୦୦ ରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବାଣିଜ୍ୟ ବିଭାଗ ଅଧ୍ୟାପିକା ସୁଶ୍ରୀ ଶିଳ୍ପୀ ଲାକ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସର୍ବଶ୍ରୀ ଗୋଲକ ବିହାରୀ ଦଳବେହେରା, ସୁମନ ପାଣିଗ୍ରାହୀ, ବିନୋଦ୍ ବେକ୍, ସୁନୀତା ମିଶ୍ର, ଦିବ୍ୟା ବିଲୁଂଗ, ସଞ୍ଜୟ କୁମାର ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.