ପଦ୍ମପୁର ଲୋକ ମହୋତ୍ସବର ସାଂସ୍କୃତିକ ପର୍ବ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ଅଶୋକ ଖେଳ ପଡିଆ ଠାରେ ଟାଉନ କ୍ଲବ, ପଦ୍ମପୁର ଆୟୋଜିତ ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଉଦଘାଟିତ ହୋଇଯାଇଛି । ଆଇ. ଜି. ହିମାଂଶୁ କୁମାର ଲାଲ ଓ ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହାଇ ମୀନା ଅତିଥି ଭାବରେ ଯୋଗଦେଇ ବିଧି ବଦ୍ଧ ଭାବରେ ପଞ୍ଚମ ଲୋକ ମହୋତ୍ସବର ସାଂସ୍କୃତିକ ପର୍ବକୁ ଉଦଘାଟନ କରିଛନ୍ତି । ତେବେ ଏ ଅଞ୍ଚଳ ହେଉଛି କଳା ଓ ସଂସ୍କୃତିର ଅଞ୍ଚଳ । ଏଣୁ ଏହିପରି ଆୟୋଜନ କଳାକାରଙ୍କ ବିକାଶ ଏବଂ ହଜି ଯାଉଥିବା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଆୟୋଜିତ ହେବା ଉଚିତ ବୋଲି ସେ କହିଥିଲେ । କ୍ଲବର ସଭାପତି ପ୍ରିତେଶ କୁମାର ବହିଦାର ଅତିଥି ମାନଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଆବାହକ ଅଶୋକ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମେ ସମସ୍ତ ଅତିଥି ମା’ ସାମଲ୍ଵଶ୍ଵରୀ ଓ ବାବା ନୃସିଂହନାଥଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦୀପ ପ୍ରଜ୍ୱଳନ କରିଥିବା ବେଳେ ସ୍ଥାନୀୟ ଟଙ୍କିକିଆ ସଂଗୀତ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ତେବେ ଆଜିର ପର୍ବରେ କଣ୍ଠଶିଳ୍ପୀ ପୁଷ୍ପରାଜ ସୁନା ଏବଂ ଅଞ୍ଚଳ ମହାବିଦ୍ୟାଳୟର ସଂଗୀତ ଦଳ ଲୋକଗୀତ ସହ ସାଂସ୍କୃତିକ ସନ୍ଧ୍ୟାର ଆରମ୍ଭ କରିଥିଲେ । ଗୁଜୁରାଟରୁ ଆସିଥିବା ବ୍ରହ୍ମପୁରୀ ଦାଣ୍ଡିଆ ରାସ ସାଂସ୍କୃତିକ ଦଳ ନିଜର ମାନିୟାରୋ ରାସ ପ୍ରଦର୍ଶିତ କରିଥିବା ବେଳେ ଓଏଭି ବନ୍ଧୁପାଲିର ସାଂସ୍କୃତିକ ଦଳ ନିଜର ଲୋକ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ନଟରାଜ ନୃତ୍ୟ ଅନୁଷ୍ଠାନ କଟକର ନେପାଲି ଲୋକ ନୃତ୍ୟ, ସମ୍ବଲପୁର ପାଞ୍ଚଭାୟା ଅନୁଷ୍ଠାନର ଡାଲଖାଇ ନୃତ୍ୟ, ଟଙ୍କିକିଆ ସଙ୍ଗୀତ ବିଦ୍ୟାଳୟର ନୂଆଖାଇକୁ ନେଇ ନୃତ୍ୟ, ମୟୁରଭଞ୍ଜ ନୃତ୍ୟ ଅନୁଷ୍ଠାନର ଛଉ ପରି ସୁନ୍ଦର ନୃତ୍ୟ ପରିବେଶତ ହୋଇ ଥିବାବେଳେ କଟକ ନଟରାଜ ନୃତ୍ୟ ଅନୁଷ୍ଠାନର ମାଛ୍ଵାରା, ସମ୍ବଲପୁର ପାଞ୍ଚଭାୟ ଅନୁଷ୍ଠାନର ସିଙ୍ଗାରୀ ଏବଂ ଗୁଜୁରାଟ ଭାୟୋଲିନ ନୃତ୍ୟ ଅନୁଷ୍ଠାନର ଗର୍‌ବା ପ୍ରଦର୍ଶନ ସମସ୍ତଙ୍କୁ ବେଶ ମୁଗ୍ଧ କରିଥିଲା । ତେବେ କମିଟି ପକ୍ଷରୁ ଅବସର ପ୍ରାପ୍ତ ଅଧ୍ୟାପକ କେଶରଞ୍ଜନ ପଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାର ମଞ୍ଚ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେହିପରି ମନିଷ କୁମାର ରଥ, ପ୍ରାଚୀ ପାଣିଗ୍ରାହୀ ଉଦଘୋଷକ ଦାୟିତ୍ୱ ତୁଲାଇ ଥିଲେ । ମହୋତ୍ସବ କମିଟି ପକ୍ଷରୁ ବାଞ୍ଛାନିଧି ପଣ୍ଡାଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ମାନପାତ୍ର ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିବା ବେଳେ ମହୋତ୍ସବ ପାଇଁ ହୋଇଥିବା ଏକକ ଅଭିନୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରକାର ଦିଆଯାଇଥିଲା । ସେହିପରି ପ୍ରତିଯୋଗିତାରେ ବିଚାରକ ଦାୟିତ୍ୱ ତୁଲାଇ ଥିବା କିଶୋର ପାତ୍ର, ସନ୍ତୋଷ କୁମାର ମହାନ୍ତି, ଦିବ୍ୟ କିଶୋର ପଣ୍ଡା, ରାକେଶ ସାହୁ, ରାଜେନ୍ଦ୍ର କୁମାର ମହାନ୍ତି, ଅଶୋକ କୁମାର ବହିଦାର, ଆଶିଷ କୁମାର ବୈକାର, ବିଦେଶୀ ସାହୁଙ୍କୁ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା । ତେବେ ଉପସ୍ଥିତ ସମସ୍ତ ଦର୍ଶକଙ୍କ ସହ ଅତିଥି ମାନଙ୍କୁ ମହୋତ୍ସବ ପର୍ବରେ ଯୋଡି ହୋଇଥିବା ପାଇଁ କ୍ଲବର ସମ୍ପାଦକ କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଆସନ୍ତା ସନ୍ଧ୍ୟାରେ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ମଧ୍ୟ ସମସ୍ତଙ୍କୁ ନିମନ୍ତ୍ରିତ କରିଥିଲେ ।

Leave A Reply

Your email address will not be published.