୧୫ ଓ ୧୭ ବୟସ ବର୍ଗ ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟିତ : ଯୋଗ ଦେଲେ ୨୮୦ ରୁ ଉର୍ଦ୍ଧ୍ୱ ବାଳକ ଓ ବାଳିକା ଖେଳାଳି

ଭୁବନେଶ୍ୱର : ସ୍ଥାନୀୟ ପୋଖରୀକୋଟ ବିଜୁ ପଟ୍ଟନାୟକ ମହୁମୁଖି ଇନ୍‌ଡୋର ଷ୍ଟାଡିୟମଠାରେ ଓଡିଶା ବ୍ୟାଡ ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ୟୁନେକ୍ସ ସନ୍‌ରାଇଜ ସବ୍ ଜୁନିୟର ରାଜ୍ୟ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଘାଟନ ହୋଇଯାଇଅଛି । ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ସଂପାଦକ ନିଳିନ କୁମାରଙ୍କ ତତ୍ତ୍ୱାବଧାନରେ ହେଉଥିବା ୧୫ ଓ ୧୭ ବୟସରୁ କମ୍ ବର୍ଗର ଏହି ଚମ୍ପିୟାନସିପ୍ ୪ଦିନ ବ୍ୟାପି ଚାଲିବ । ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ କ୍ରିଡା ଓ ଯୁବ ବ୍ୟାପାରର ପ୍ରଶାସନିକ ଅଧିକାରୀ ସୋନାଲି ଚାନ୍ଦ ଯୋଗଦେଇ ପ୍ରତିଯୋଗିତାର ପ୍ରଦୀପ ପ୍ରଜ୍ଜଳନ ସହ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ଉପ-ସଭାପତି ପ୍ରଦୀପ ପଟ୍ଟନାୟକ, ଆୟୋଜନ କମିଟି ସଂପାଦକ ଅଜିତ ମହାନ୍ତି, ପ୍ରତିଯୋଗିତା ନିର୍ଦ୍ଦେଶକ ଶୁଭମ୍ ନାୟକ, ପର୍ଯ୍ୟବେକ୍ଷକ ଶିବମ୍ ଅଗ୍ରୱାଲ, ସଂଯୋଜକ ତାରାକାନ୍ତ ଦାଶ, ଅବଦୁଲ ହାକିମ୍‌, ଜୟପ୍ରକାଶ ଜେନା, ମୁଖ୍ୟ ରେଫରି ରୀତା ଦାଶ ଓ ଲକ୍ଷାପତି ନନ୍ଦ ପ୍ରମୁଖ ଉଦ୍‌ଘାଟନି ସମାରୋହରେ ଉପସ୍ଥିତ ଥିଲେ । ଆଜି ଉଦ୍‌ଘାଟନି ହୋଇଥିବା ଏହି ପ୍ରତିଯୋଗିତାରେ ବାଳକ/ବାଳିକା ସିଙ୍ଗିଲ୍ସ, ବାଳକ ଡବଲ୍ସ, ବାଳିକା ଡବଲ୍ସ ଓ ମିକ୍ସ ଡବଲ୍ସ ବିଭାଗରେ ସର୍ବମୋଟ ୨୮୦ ରୁ ଉର୍ଦ୍ଧ୍ୱ ଭାଗ ନେଇଛନ୍ତି । ପ୍ରଥମ ଦିନରେ ୮୦ଟି ମ୍ୟାଚ ଅନୁଷ୍ଠିତ ହେବାକୁ ଅଛି । ପ୍ରଥମ ଦିନ ଖେଳରେ ପ୍ରାୟ ମାନ୍ୟତାପ୍ରାପ୍ତ ଖେଳାଳି ନିଜ ନିଜ ବିଭାଗରେ ଦ୍ୱିତୀୟ ରାଉଣ୍ଡକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିମାନଙ୍କ ପାଇଁ ଖାଇବା ଏବଂ ରହିବା ପାଇଁ ଓସବା ତରଫରୁ ସବୁ ବନ୍ଦୋବସ୍ତ କରାଯାଇଛି ବୋଲି ଉପସଭାପତି ପ୍ରଦୀପ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ ଜଣାଇଛନ୍ତି । ତା’ସହ ଏହି ବୟସ ବର୍ଗରେ ଟାଇଟେଲ ଲଢେଇ ପାଇଁ ପ୍ରତ୍ୟେକ ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେବ । ତେଣୁ ସ୍କୁଲ ଓ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନର ଲୋକପ୍ରିୟତା ବଢାଇବା ପାଇଁ ଓସବା ତରଫରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ପ୍ରତିଯୋଗିତାର ପ୍ରତ୍ୟେକ ବିଭାଗର ଫାଇନାଲ ଖେଳ ଆସନ୍ତା ୧୦ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.