ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୈରୋପୁରରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରର ସିଆର୍ସିସି ରାଜେଶ୍ୱର ବେହେରାଙ୍କ ଆବାହକତ୍ୱ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଜଗଦୀଶ ପଧାନଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ନବ ନିର୍ବାଚିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଦଣ୍ଡାସନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ବିଦ୍ୟାଳୟର ନବନିର୍ମିତ ଶ୍ରେଣୀ କୋଠରୀକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶରତ ବିଶି, ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି ଓ ବାସୁଦେବ ସାହୁ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଉନ୍ନତି ଦିଗରେ ମୋର ସମ୍ପୂର୍ଣ୍ଣ ପ୍ରୟାସ ରହିବ ବୋଲି ମୁଖ୍ୟ ଅତିଥି ମତପୋଷଣ କରିଥିଲେ । ଶୈକ୍ଷିକ ଦିଗରେ ଗୀତାଞ୍ଜଳି ସାହୁ, ରତ୍ନ ଭୋଇ, ଅଭିଷେକ ଦାଶ ପ୍ରମୁଖ ଆଲୋଚନା କରିଥିଲେ । ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଗଣ ବୈଠକରେ ସାମିଲ ହୋଇଥିଲେ । ଏହି ଅବସରରେ ଲେମଧର ସେବାଶ୍ରମ ବିଦ୍ୟାଳୟରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ରମାକାନ୍ତ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷକ ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।