- କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପ୍ରତିହତ କରିପାରିବ : କ. ତପନ ସେନ୍
ରାଉରକେଲା, (ସସ୍ମିତା ପ୍ରଧାନ) : ଷ୍ଟିଲ ୱାର୍କର୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଏସଡବ୍ଲୁଏଫ୍ଆଇ)ର ୧୦ମ ସର୍ବଭାରତୀୟ ଦୁଇ ଦିନିଆ ସମ୍ମିଳନୀ ଆଜି ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲ ଫେଡେରେସନର ସଭାପତି ତଥା ସିଆଇଟିୟୁର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ କମ୍ରେଡ୍ ତପନ ସେନ୍ । ଶ୍ରୀ ସେନ୍ ଦେଶ ତମାମର ବିଭିନ୍ନ ରାଷ୍ଟ୍ରାୟତ ଇସ୍ପାତ କାରଖାନା ଓ ଖଣିରୁ ଆସିଥିବା ଶ୍ରମିକ ନେତୃତ୍ୱ ପ୍ରତିନିଧିମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କେନ୍ଦ୍ରର ମୋଦୀ ସରକାର ଯେଉଁ ଶ୍ରମିକ ବିରୋଧୀ ଓ ଦେଶ ବିରୋଧୀ କାର୍ଯ୍ୟକ୍ରମ କରୁଛନ୍ତି ତାକୁ କେବଳ ଶ୍ରମିକ ଶ୍ରେଣୀର ଦୁର୍ବାର ଆନ୍ଦୋଳନ ହିଁ ପ୍ରତିହତ କରିପାରିବ । ମୋଦୀ ସରକାର ରାଷ୍ଟ୍ରାୟତ ଉଦ୍ୟୋଗକୁ ନିଜ ପୁଞ୍ଜିପତି ବଂଧୁ ମାନଙ୍କ ହାତରେ ଟେକି ଦେଉଛନ୍ତି । ସେଲ୍ କର୍ତ୍ତୃପକ୍ଷ ଶ୍ରମିକ କର୍ମଚାରୀ ମାନଙ୍କ ଏନ୍ଜେସିଏସରେ ୩୯ ମାସ ଧରି ମଜୁରୀ ଚୁକ୍ତିନାମା ସ୍ୱାକ୍ଷରିତ ହୋଇ ପାରିଲାନାହଁ । ଠିକା ଶ୍ରମିକମାନଙ୍କ ଅବସ୍ଥା ଦୟନୀୟ ଅବସ୍ଥାରେ ରହିଛି । ମୋଦୀ ସରକାର ଦେଶର ସମ୍ବିଧାନ ଓ ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ପ୍ରତି ଘୋର ଆକ୍ରମଣ କରୁଛି । ଏଥିପାଇଁ ଶ୍ରମିକ ଶ୍ରେଣୀ ନିଜର ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ କରିଥିଲେ । ସମ୍ମିଳନୀର ପ୍ରାରମ୍ଭରେ ସଂଗଠନର ପତାକା ଉତ୍ତୋଳନ କରିଥିଲେ ସର୍ବଭାରତୀୟ ସଭାପତି କ. ସେନ୍ । ସମ୍ମିଳନୀର ଶୋକ ପ୍ରସ୍ତାବ ଆଗତ କରିଥିଲେ ଫେଡେରେସନର ଉପ ସଭାପତି କମ୍ରେଡ୍ ବିଷ୍ଣୁ ମହାନ୍ତି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଫେଡେରେସନର ସାଧାରଣ ସମ୍ପାଦକ ଲଳିତ ମିଶ୍ର ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପରେ ଦେଶର ବିଭିନ୍ନ ରାଷ୍ଟ୍ରାୟତ ଇସ୍ପାତ କାରଖାନା ଓ ଖଣିରୁ ଆସିଥିବା ସ୍ଥାୟୀ ଓ ଠିକା ଶ୍ରମିକ ମାନଙ୍କ ନେତୃତ୍ୱ ସାଥୀମାନେ ଦୁଇଦିନ ଧରି ଆଲୋଚନା କରିବା ସହିତ ଦେଶର ଇସ୍ପାତ ଶ୍ରମିକମାନଙ୍କ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ସମ୍ମିଳନୀ କାର୍ଯ୍ୟପନ୍ଥା ସ୍ଥିର କରିବ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବିମାନ ମାଇତି, ପ୍ରମୋଦ ସାମଲ, ଅଯୋଧ୍ୟା ରାମ, ସଂପାଦକ ବସନ୍ତ ନାୟକ, ବିଶ୍ଵରୂପ ବାନାର୍ଜୀ, ବି ଡି ପ୍ରସାଦ, ପି ପନିରସେଲଭମ, ଏସ୍ ପି ଦେ, ଗୁରୁ ପ୍ରସାଦ ବାନାର୍ଜୀ, ପ୍ରଦ୍ୟୁତ ମୁଖାର୍ଜୀ, ସୁରେଶ କୁମାର, ପ୍ରସନଜିତ ମଣ୍ଡଳ ପ୍ରମୁଖ ସର୍ବଭାରତୀୟ ନେତୃତ୍ୱ ସମେତ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ପ୍ରତିନିଧି ସାମିଲ ହୋଇଛନ୍ତି । ଆଜି ଅପରାହ୍ନରେ ସମ୍ମିଳନୀର ସମସ୍ତ ପ୍ରତିନିଧିମାନେ ଆମ୍ବାଗାନ ଛକଠାରେ ଏକତ୍ରିତ ହୋଇ ସେଲ୍ କର୍ତ୍ତୃପକ୍ଷ ତୁରନ୍ତ ଏନ୍ଜେସିଏସ୍ ଡାକି ଶ୍ରମିକ ମାନଙ୍କ ମଜୁରୀ ଚୁକ୍ତିନାମା କରିବା ସହିତ ୩୯ ମାସର ଏରିଅର ପ୍ରଦାନ କରିବାକୁ ଦାବିକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଲ୍ କର୍ତ୍ତୃପକ୍ଷ ଏ ଦିଗରେ ଆଗାମୀ ଦିନରେ ପଦକ୍ଷେପ ନ ନିଅନ୍ତି ତେବେ ଏ ସମ୍ମିଳନୀ ଏକ ଦୁର୍ବାର ଶ୍ରମିକ ଆନ୍ଦୋଳନ କରିବ ପାଇଁ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଚେତାଇ ଦେଇଛନ୍ତି ।