ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ (ଜେଲ୍ ପଡିଆ) ଠାରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । ଏହି ମେଳା ଚଳିତ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନିଳମଣୀ ବିଷୋୟୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ଚାଷୀଙ୍କ ଅର୍ଥନୈତିକ ବିକାଶ ହେଲେ ରାଜ୍ୟର ବିକାଶ ହେବ । ସରକାର ସମସ୍ତ ପ୍ରକାର କୃଷି ଯନ୍ତ୍ରପାତିକୁ ରିହାତି ଦରରେ ଚାଷୀ ମାନଙ୍କୁ କୃଷି ବିଭାଗ ମାଧ୍ୟମରେ ଯୋଗାଇ ଦେଉଛନ୍ତି । ପ୍ରକୃତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିଲେ କୃଷି ଓ କୃଷକର ବିକାଶ ହେବ ବୋଲି ମୁଖ୍ୟ ଅତିଥି ମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ୩ ଦିନ ଧରି ଚାଲିବାକୁ ଥିବା ମେଳାରେ ଟ୍ରାକ୍ଟର, ପାୱାରଡିଲର, ଧାନ ଅମଳ, ଧାନ ଋଆ, ମଞ୍ଜି ସଫା, ରୋଟାଭେଟର, ଘାସ ଛେଦନ, କୋଡାଖୁସା, ଘାସ କଟା, ଗାତ ଖୋଳା, ଧାନ କଳ, ମକା ଛଡା, ଡାଲି କଳ, ତେଲ କଳ, ମୁଢି ମିଲ୍, ବିହନ ବୁଣା, ସାର ବୁଣା ଓ ଔଷଧ ସିଞ୍ଚନ ଭଳି ବିଭିନ୍ନ କୃଷି ଯନ୍ତ୍ରପାତି ରିହାତି ବିକ୍ରି ସହ ପ୍ରଦର୍ଶନ କରାଯାଉଛି । ଏହା ସହ ଅଞ୍ଚଳର ଚାଷୀ ମାନଙ୍କୁ ନେଇ କୃଷି ପାଠଶାଳା ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ମେଳାରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୃଷି ଯନ୍ତ୍ରପାତି, ବିଭିନ୍ନ ମହିଳା ଏସ୍ଏଚ୍ଜି ଗୋଷ୍ଠୀର ଉତ୍ପାଦନ ଦ୍ରବ୍ୟ ସମେତ ସରକାରଙ୍କ ବିଭିନ୍ନ ବିଭାଗର ୨୫ ଷ୍ଟଲ୍ ମେଳାରେ ଖୋଲା ଯାଇଛି । ଏହି ଅବସରରେ ୬ ଜଣ କୃଷକଙ୍କୁ ରିହାତି ଦରରେ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ କର, ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ବ୍ଲକ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ, ନଗର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚୌଧୁରୀ ଦେବବ୍ରତ ଦାସ ଯୋଗଦେଇ ବିଭିନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ଓ ଜ୍ଞାନକୌଶଳ ଉପଯୋଗିତା ଉପରେ ଉପସ୍ଥିତ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଭଞ୍ଜନଗର କୃଷି ଜିଲ୍ଲା ଅଧିକାରୀ ବ୍ୟାମକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଅଧିନ ୮ଟି ବ୍ଲକର ଚାଷୀ ଯୋଗ ଦେଇଥିଲେ । ସହକାରୀ କୃଷି ଅଧିକାରୀ ଦିବ୍ୟରଞ୍ଜନ ମାଝୀଙ୍କ ସମେତ ସମସ୍ତ କୃଷି ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ ।
Prev Post