କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମଙ୍ଗଳବାର ସ୍ଥାନୀୟ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଦୁଇଗୋଟି ତାଲିମ କାର୍ଯ୍ୟକ୍ରମର ଉଦ୍ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ଜିଲାପାଳଙ୍କ ଦ୍ୱାରା ଏଡୁନିଟ ମାଧ୍ୟମରେ ୧୦୦ ଜଣ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଠାରେ ନିଟ, ଜେଇ ଓ ଓୟୁଏଟି ପାଇଁ ମାଗଣାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ପରିଷଦ କଳାହାଣ୍ଡିର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଦୟାମୟ ପାଢୀ, ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ କୁଳପତି ନିବେଦିତା ନାଥ, ଉପ କୁଳସଚିବ ଜୟଦେବ ସାହୁ ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମର ଲାଭ ଉଠାଇବା ପାଇଁ ଉତ୍ସାହିତ କରିଥିଲେ ଓ ପାଠ୍ୟ ସାମଗ୍ରୀ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ. ମଧୁଲିକା ସାହୁ ସଂଯୋଜନା କରିଥିଲେ । ଦ୍ଵିତୀୟ କାର୍ଯ୍ୟକ୍ରମରେ ମାଇନିଂ ସ୍କିଲ କାଉନସିଲ୍ ତରଫରୁ ଥୁଆମୂଳ ରାମପୁର ଏବଂ ଲାଞ୍ଜିଗଡ ଅଂଚଳର ୩୦୦ ଜଣ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କଳାହାଣ୍ଡିର ଆର୍ଥିକ ଅନୁଦାନରେ ବିଭିନ୍ନ ପ୍ରକାରର ମାଇନିଂ ନିଯୁକ୍ତି ଭିତ୍ତିକ ପାଠ୍ୟକ୍ରମ ତାଲିମର ଶୁଭ ଉଦ୍ଘାଟନ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କଳାହାଣ୍ଡିର ପ୍ରଶାନ୍ତ କୁମାର ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ, ଏଥିରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।