କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲରେ ଦୁଇଟି ଅମୃତ ଧାରା ଉଦ୍‌ଘାଟିତ ଓ ଶିବ, ବୃଷଭ ମୂର୍ତ୍ତି ଉନ୍ମୋଚିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ଆଜି ସୋମବାର ମୁରିବାହାଲ ସଦର ମହକୁମାରେ ନବନିର୍ମିତ ଦୁଇଟି ମନ୍ଦିରରେ ଅମୃତ ଧାରା ଉଦ୍‌ଘାଟିତ ହୋଇଥିବା ବେଳେ ସ୍ଥାନୀୟ ଖଜୁରୀ ବନ୍ଧରେ ନିର୍ମିତ ଭଗବାନ ଶିବ ଓ ବୃଷଭଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ବିଧାୟକ ଶ୍ରୀ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଥମେ ଘଣ୍ଟବାହାଲ ହନୁମାନ ମନ୍ଦିରକୁ ପହଞ୍ଚି ନବନିର୍ମିତ ଅମୃତ ଧାରାକୁ ଉଦ୍‌ଘାଟନ କରିଥିଲେ । ଏଠାରୁ ମନ୍ଦିରର ଶ୍ରଦ୍ଧାଳୁ ଓ ଗ୍ରାମବାସୀଙ୍କ ପାଇଁ ସ୍ୱଚ୍ଛ ଓ ଥଣ୍ଡା ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏହାପରେ ବିଧାୟକ ଶ୍ରୀ ବାଗ ସଦର ମହକୁମା ଖଜୁରୀ ବନ୍ଧ ମଝିରେ ନବନିର୍ମିତ ଭଗବାନ ଶିବ ଓ ବୃଷଭଙ୍କ ଭବ୍ୟ ପ୍ରତିମୂର୍ତ୍ତିକୁ ପୂଜାର୍ଚ୍ଚନା ପରେ ଉନ୍ମୋଚିତ କରିଥିଲେ । ଶେଷରେ ବିଧାୟକ ଶ୍ରୀ ବାଗ ସ୍ଥାନୀୟ ରାଧାକୃଷ୍ଣ ଓ ଶିବ ମନ୍ଦିର ସମ୍ମୁଖରେ ମନ୍ଦିରର ଶ୍ରଦ୍ଧାଳୁ ଓ ପଥଚାରୀଙ୍କ ପାଇଁ ନବନିର୍ମିତ ଅମୃତ ଧାରାକୁ ଉଦ୍‌ଘାଟନ କରିଥିଲେ । ମୁରିବାହାଲ ସଦର ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀଙ୍କ ସଭାପତିତ୍ୱରେ ତଥା ପ୍ରତ୍ୟେକ୍ଷ ତତ୍ଵାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଉପାଧ୍ୟକ୍ଷା ଯାଜ୍ଞସେନି ହାତୀ, ସଦର ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଓ ପଞ୍ଚାୟତ ପିଇଓ ପ୍ରକାଶ କୁମାର ପନିକା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଟିକୁ ଥନାପତି ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ସରପଞ୍ଚ, ପଞ୍ଚାୟତର ୱାର୍ଡସଭ୍ୟ, ଶତାଧିକ ଦଳୀୟ କର୍ମୀ, ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ବହୁ କର୍ମକର୍ତ୍ତାଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.