
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମଠାରେ ବଲାଙ୍ଗିର କ୍ରିକେଟ ଏକାଡେମୀ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସମୁଦାୟ ୪୨ଟି କ୍ରିକେଟ ଏକାଡେମୀକୁ ଏକକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ସମାରୋହକୁ ୫-ଟି ଅଧ୍ୟକ୍ଷ ସଂଯୋଜନା କରିଥିବା ବେଳେ ଓଡିଶା କ୍ରିକେଟ ଆସୋସିଏସନ ସଭାପତି ପ୍ରଣବ ପ୍ରକାଶ ଦାଶ ଏବଂ ଓଡିଶା କ୍ରିକେଟ ଆସୋସିଏସନ ସମ୍ପାଦକ ସଂଜୟ ବେହେରାଙ୍କ ଉପସ୍ଥିତିରେ କଟକ ବାରବାଟି ଷ୍ଟାଡିଅମରୁ ଭର୍ଚୁଆଲରେ ହୋଇଥିବା କାର୍ଯ୍ୟକ୍ରମରେ ଏକାମଡେମୀର ଉଦ୍ଘାଟନ କରାଯାଇଥିଲା । ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲା ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ, ଏସ୍ଡିପିଓ ପ୍ରଦୀପ କୁମାର ସାହୁ, କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହ୍ଲାଦ ଶତପଥୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତ୍ରୁଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ମଞ୍ଚାସୀନ ଥିଲେ । କ୍ରିକେଟ କୋଚ ଅରୁଣ କୁମାର ନାଏକ, ପୃଥ୍ୱୀରାଜ ମିଶ୍ର ତଥା ବଲାଙ୍ଗିର ନାଗରିକ କମିଟି ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଉପସ୍ଥିତ ଥିଲେ । ସବୁଦିନ ଷ୍ଟାଡିୟମକୁ ଆସି କ୍ରିକେଟ ଖେଳ ଅଭ୍ୟାସ କରୁଥିବା ଖେଳାଳିମାନେ ବହୁତ ଖୁସି ଅଛନ୍ତି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।