ବରଗଡ଼ ଜିଲ୍ଲାର ସୋହେଲା ବ୍ଲକର କନାପାଲି ଗ୍ରାମଠାରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ସୋହେଲା/ବରଗଡ, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା “ଓଡିଶା ମିଲେଟ୍ସ୍ ମିଶନ” ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ଦ୍ୱିତୀୟ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ୱାସନ୍‌ର ମିଳିତ ସହାୟତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ୍‌ର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିରସବୁଜ କୃଷକ ଉତ୍ପାଦକ କମ୍ପାନୀ ଲିଃ ମାଣ୍ଡିଆ ମଣ୍ଡି ପରିଚାଳନା ଦାୟିତ୍ୱ ବହନ କରିଛି । ଖରିଫ ୨୦୨୩-୨୪ ବର୍ଷ ପାଇଁ ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତର ୬୩ ଗୋଟି ଗ୍ରାମର ୧୦୨୪ ଜଣ ଚାଷୀଙ୍କଠାରୁ ମାଣ୍ଡିଆ କ୍ରୟକରି ଟିଡିସିସି ଜରିଆରେ ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ ଏହି କମ୍ପାନୀର କାର୍ଯ୍ୟକ୍ରମ ରହିଛି । ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କ ଦ୍ୱାରା ଦେଶରେ ଏବଂ କୃଷି କ୍ଷେତ୍ରରେ ଉପଯୁକ୍ତ ଜ୍ଞାନକୌଶଳ ପ୍ରଦାନ, ସରକାରୀ ପ୍ରୋତ୍ସାହନ ରାଶିର ସୁବ୍ୟବସ୍ଥା, ସହଜ ମାର୍କେଟିଂ ବ୍ୟବସ୍ଥା ତଥା ପରିବେଶ ସହନଶୀଳତା କାରଣରୁ ସୋହେଲା ବ୍ଲକରେ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବେଶ୍ ବଢିବାରେ ଲାଗିଛି । ଖରିଫ ୨୦୨୩-୨୪ ବର୍ଷରେ ୧୦୨୪ ଜଣ ଚାଷୀ ୫୩୮.୪ ହେକ୍ଟର ଚାଷଜମିରେ ମାଣ୍ଡିଆ ଚାଷ ହୋଇଛି । ଚାଷୀଙ୍କର ଉତ୍ପାଦିତ ମାଣ୍ଡିଆର ସଠିକ୍ ବିକ୍ରୟ ପାଇଁ ବ୍ଲକର ୩ ଗୋଟି ସ୍ଥାନ- ଟୁଙ୍ଗି ବନ୍ଧଲୀ ଗ୍ରାମପଞ୍ଚାୟତର ମରେକେଲ, କନାପାଲି ଗ୍ରାମପଞ୍ଚାୟତର କନାପାଲି ଓ ସରକଣ୍ଡା ଗ୍ରାମପଞ୍ଚାୟତର ଜାମଛପରଠାରେ ମାଣ୍ଡିଆ ସଂଗ୍ରହ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସରକାର ଚଳିତ ବର୍ଷ ଏଫ୍‌ପିଓ ମାନର ମାଣ୍ଡିଆ ଦର କ୍ୱିଣ୍ଟାଲ ପ୍ରତି ଟ. ୩୮୪୬/- ଧାର୍ଯ୍ୟ କରିଛନ୍ତି, ଯାହାକି ବିକ୍ରୟ କରିବାର ୭୨ ଘଣ୍ଟା ମଧ୍ୟରେ ଚାଷୀର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥାଏ । ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ କନାପାଲି ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବେହେରା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ୍ସ୍ ମିଶନ ସୋହେଲା ବ୍ଲକ କୃଷି ଅଧିକାରୀ ରୀତାଞ୍ଜଳି ବିଶି, ସହ କୃଷି ଅଧିକାରୀ ଅଭିଷେକ ଅଗ୍ରୱାଲ, ମହାଶକ୍ତି ଫାଉଣ୍ଡେସନ୍‌ର ସଂପାଦିକା ରୋଜାଲିନ ଭୂୟାଁ, ବ୍ଲକର ଉପାଧ୍ୟକ୍ଷ ଦିବ୍ୟକିଶୋର ପଧାନ, ସୋହେଲା ଏଫ୍‌ପିଓ ଏବଂ ଚିରସବୁଜ ପ୍ରୋଡ୍ୟୁସର କମ୍ପାନୀର ସିଇଓ ଏବଂ ସୋହେଲା ଏଫ୍‌ପିଓର ଏମ୍‌ଡି ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ୧୦୦ ଜଣ ମାଣ୍ଡିଆ ଚାଷୀ ଉପସ୍ଥିତ ଥିଲେ । ଏହି ବସରରେ ୧୬ ଜଣ ଚାଷୀଙ୍କଠାରୁ ୫୦ କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଗୌରଚନ୍ଦ୍ର ରଣା ପରିଚାଳନା କରିଥିବା ବେଳେ ସଂପାଦିକ ରୋଜାଲିନ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.