ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ଠାରେ ପ୍ରସାର ଭାରତୀ ପକ୍ଷରୁ ଏଫ୍ଏମ୍ ରେଡ଼ିଓ ଷ୍ଟେସନର ରିଲେ କେନ୍ଦ୍ର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଆଜି ଉଦ୍ଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇଥିଲେ । ରେଡ଼ିଓର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ଏହି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ଏହା ଶହେ କିଲୋ ୱାଟ ଟ୍ରାସ୍ମିସନ୍ ବିଶିଷ୍ଟ କେନ୍ଦ୍ର ଓ ଏହା ବରଗଡ଼ର ୨୨ କିଲୋମିଟର ପରିଧି ମଧ୍ୟରେ ଶ୍ରୋତାମାନେ ଶୁଣି ପାରିବେ । ଆକାଶ ବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ଏଫ୍ଏମ୍ର ସମସ୍ତ କାର୍ଯ୍ୟକ୍ରମ ପ୍ରତିଦିନ ସକାଳ ୬ଟାରୁ ରାତ୍ରୀ ୧୧ଟା ପର୍ଯ୍ୟନ୍ତ ଶ୍ରୋତାମାନେ ଶୁଣି ପାରିବେ । ଉଦ୍ଘାଟନୀ ସମାରୋହରେ ନୂଆଦିଲ୍ଲୀ ପ୍ରସାର ଭାରତୀର ଯୁଗ୍ମ ନିର୍ଦ୍ଦେଶକ (ସମାଚାର) ନବଳ ସିଂ ପରମାର, ବରଗଡ଼ ଦାୟିତ୍ଵରେ ଥିବା ରାଜ କିଶୋର ପଣ୍ଡା, ରମେଶ ଚନ୍ଦ୍ର ଭୋଇ, ପ୍ରଦୀପ୍ତ କୁମାର ମିଶ୍ର, ମନୋଜ ପୂଜାରୀ, ଉମେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।