• ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ମହିଳାମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ଏକ ନିଆରା ପଦକ୍ଷେପ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ ମହିଳା ସଶକ୍ତିକରଣ ଏବଂ ମହିଳାମାନଙ୍କୁ ଉଦ୍ୟୋଗୀକରଣ କରିବା ଅବା ‘ପ୍ରୋତ୍ସାହନ’ କାର୍ଯ୍ୟକ୍ରମରେ ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳର ଉତ୍ସାହୀ ମହିଳାମାନଙ୍କୁ ରୋଜଗାରକ୍ଷମ ଓ ସ୍ଵାବଲମ୍ବୀ କରିବା ପାଇଁ ଡୁବୁଲି ଛକଠାରେ ଥିବା ଗୋପାଳପୁର ବନ୍ଦରର ସିଏସଆର କଂପ୍ଲେକ୍ସ ଠାରେ ଏକ ବିୟୁଟିସିଆନ୍ ଶିକ୍ଷା ଓ ତାଲିମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି ।
ପ୍ରାଥମିକ ପର୍ଯ୍ୟାୟରେ ନିକଟସ୍ଥ ପଞ୍ଚାୟତର ୩୦ ଜଣ ମହିଳା ପ୍ରାର୍ଥିନୀଙ୍କ ନାମ ପଞ୍ଜୀକୃତ କରାଇଛନ୍ତି । ଗୋପାଳପୁର ବନ୍ଦର ପକ୍ଷରୁ ମହିଳାମାନଙ୍କୁ ସୌନ୍ଦର୍ଯ୍ୟ ବର୍ଦ୍ଧନକାରୀ ପ୍ରସାଧନ ସାମଗ୍ରୀ ଓ ଉପକରଣ ମାଗଣାରେ ବଣ୍ଟନ କରାଯାଇଥିଲା । ଏହି ଉଦ୍ଘାଟନୀ ଅବସରରେ ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭି.ଜେ. ରାଓ, ବରିଷ୍ଠ ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ) ଅଜୟ କୁମାର ମିଶ୍ର, ସହକାରୀ ଉପସଭାପତି ସି. ଆର. ବାହିନୀପତି ତଥା ଗୋପାଳପୁର ବନ୍ଦର ମୁମ୍ବାଇ ଅଫିସର ନିର୍ଦ୍ଦେଶକ କାର୍ତ୍ତିକ ଦେଓସ୍କର ଏବଂ କ୍ୟାପଟେନ୍ ସନ୍ଦୀପ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଉଦ୍ଘାଟନୀ ଅବସରରେ ଗୋପାଳପୁର ବନ୍ଦର ଲେଡିଜ କ୍ଲବ ପକ୍ଷରୁ ଶ୍ରୀମତୀ ବିଶ୍ୱେଶ୍ୱରୀ ମିଶ୍ର, ଶ୍ରୀମତୀ ଛନ୍ଦାଶ୍ରୀ ମିଶ୍ର, ଶ୍ରୀମତୀ ପଙ୍କଜିନୀ ମହାପାତ୍ର, ଶ୍ରୀମତୀ ସୌମ୍ୟା ସୁଚରିତା ପଟ୍ଟନାୟକ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଉପସଭାପତି ଅଜୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁପରିଚାଳିତ କରାଯାଇଥିଲା ବେଳେ ଉଦ୍ଘାଟନ ସମାରୋହରେ ମହିଳାମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥ ଉପାର୍ଜନ କରି ସ୍ଵାବଲମ୍ବୀ ହେବା କେତେ ଦରକାରୀ ତାହା ଶ୍ରୀ ମିଶ୍ର ଉଲ୍ଲେଖ କରିଥିଲେ । ବନ୍ଦରର ଅନେକ ବରିଷ୍ଠ କର୍ମଚାରୀଙ୍କ ସହଧର୍ମିଣୀ ଓ ସମସ୍ତ ମହିଳା କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ନିକଟରେ ଗୋପାଳପୁର ବନ୍ଦର ପକ୍ଷରୁ ‘ମା’ ହାଣ୍ଡିଶାଳ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଗୋପାଳପୁର ବନ୍ଦର ସହାୟତାର ହାତ ବଢାଇଥିଲେ ଏବଂ ଏହି ପ୍ରୟାସରେ ନିକଟସ୍ଥ ଗ୍ରାମର ଅନେକ ମହିଳା ‘ମା’ ହାଣ୍ଡିଶାଳ’ କାର୍ଯ୍ୟକ୍ରମରେ ଘରୋଇ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ବ୍ୟବସାୟ ଆରମ୍ଭ କରିଥିଲେ । ଯାହାକି ଏବେ ସେମାନଙ୍କ ପାଇଁ ଏକ ନିର୍ଭର ଯୋଗ୍ୟ ଆୟର ମାର୍ଗ ପାଲିଟିଛି । ଏହି ଅବସରରେ ଗୋପାଳପୁର ବନ୍ଦର ସିଇଓ, ବରିଷ୍ଠ କର୍ମଚାରୀ, ମହିଳା କର୍ମଚାରୀମାନେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପୁନଃ ବ୍ୟବହାରକ୍ଷମ ରୋଷେଇ ସରଞ୍ଜାମ ଯୋଗାଇ ଦେଇଥିଲେ । ମହିଳାମାନଙ୍କ ବ୍ୟବସାୟରେ ଉନ୍ନତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ସହିତ ପରବର୍ତ୍ତୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ୍ଦର ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା ।