ଫୁଲବାଣୀ : ରାଜ୍ୟ ସରକାର ୫-ଟି ଅଧୀନରେ ରାଜ୍ୟର ବିଭିନ୍ନ ମାଧ୍ୟମିକ ସ୍କୁଲଗୁଡ଼ିକର ରୂପାନ୍ତରଣ କରିଛନ୍ତି । ବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶ ସହ ଉନ୍ନତ ମାନର ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏ ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ରାଜ୍ୟର ପ୍ରଥମ ଭର୍ଚୁଆଲ ରିଆଲିଟି ଲ୍ୟାବ । ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ଲ୍ୟାବକୁ ଉଦ୍ଘାଟନ କରିବା ସହିତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏହି ଅଭିନବ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି । ଏପରି ବ୍ୟବସ୍ଥା ରାଜ୍ୟର ସବୁ ରୂପାନ୍ତରିତ ସ୍କୁଲରେ ପ୍ରୟୋଗ କରିବାକୁ ଚିନ୍ତା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ଏହା ବ୍ୟତୀତ ମାଓ ପ୍ରଭାବିତ ଅଞ୍ଚଳରେ ଶିକ୍ଷକମାନଙ୍କ ସୁବିଧା ଓ ରହଣି ପାଇଁ ଟିଚର୍ ବାରାକ ନିର୍ମାଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ସ୍ୱାଭିମାନ ଅଞ୍ଚଳରେ କାମ ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ପରେ ଏହି ବ୍ୟବସ୍ଥା ଅନ୍ୟ ସ୍ଥାନରେ ମଧ୍ୟ ଲାଗୁ କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ଆଗକୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯିବ ଏବଂ ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ୨୦୧୬ରୁ ବନ୍ଦ ଥିବା ଏହି ପ୍ରକ୍ରିୟା ପୁଣି ଚାଲୁ କରାଯାଇ ପ୍ରାୟ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି ।