ଭୋଗରାଇ : ଦୁଡପଳ ପଞ୍ଚାୟତ ଅନ୍ତର୍ଗତ ସେହି ଗ୍ରାମ ସ୍ଥିତ ବାସୁଦେବ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ପ୍ରତିଷ୍ଠିତ ‘ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର’ ଉଦ୍ଘାଟିତ ହୋଇଯାଇଛି ଏହି ସଭାରେ ସତ୍ୟବାଦୀ ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳା ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଏଭଳି ଶିକ୍ଷାନୁଷ୍ଠାନ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଯୋଗଦାନ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଭୋଗରାଇ ବିଧାନସଭା ନିର୍ବାଚନ ମଣ୍ଡଳୀ ସାଂସଦ ପ୍ରତିନିଧି ଅଂଶୁମାନ ମହାନ୍ତି, ସମ୍ମାନିତ ଅତିଥି ଭାବେ ମଞ୍ଚକଳା ଜଗତର ଅପ୍ରତିଦ୍ଵନ୍ଦୀ ତଥା ମହାନ କଳାକାର ଗୌର ଦାସ ପ୍ରମୁଖ ଯୋଗ ଦେଇ କଳା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭୋଗରାଇର ମହାନତା ଓ ଉତ୍କର୍ଷତା ସମ୍ପର୍କରେ ଆଲୋଚନା କରିଥିଲେ । ‘ବ୍ରହ୍ମାନନ୍ଦ ସଙ୍ଗୀତ ଶିକ୍ଷା କେନ୍ଦ୍ର’ର ପ୍ରଯୋଜକ ଜଗବନ୍ଧୁ ଦାସ ଅଧିକାରୀ ଶିକ୍ଷାନୁଷ୍ଠାନର ମୂଳ ଲକ୍ଷ୍ୟ, ପରିଚାଳନା ଓ ବ୍ୟବସ୍ଥାପନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ପ୍ରତିଭା ଓ ଦକ୍ଷତାକୁ ସାମାଜିକ ଗଣମାଧ୍ୟମର ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ପ୍ରସାରିତ କରାଯିବା ଯୋଜନା କାର୍ଯ୍ୟକାରୀ କରାଯାଇଛି ବୋଲି ପ୍ରକାଶ କରିଥିଲେ । ବିଶ୍ୱଜିତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉକ୍ତବତ୍ସଳ ଦାସ, ଅଭିଷେକ ଦାସ, ମାନସ ପାଳ, ବାପୁ ଦତ୍ତ ପ୍ରମୁଖ ପରିଚାଳନା କରିଥିଲେ ।
Next Post