ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଇଣ୍ଟରନେଟ ଯୁଗରେ ବି ପୁସ୍ତକ ପଠନର ଦିଗ ପ୍ରସାରିତ । ପୁସ୍ତକ ପ୍ରକାଶନର ବ୍ୟାପକତା ବେଶ ବୃଦ୍ଧି ପାଇଛି । ଲେଖକୀୟ ଅଭିବ୍ୟକ୍ତି ମଧ୍ୟରେ ଶୈକ୍ଷିକ ଓ ବୌଦ୍ଧିକ ପ୍ରତିବେଦନର ସଂସ୍କାର ଘଟିଛି । ପୁସ୍ତକ ମେଳାମାନ ବହୁ ଗୁଣିତ ହୋଇଛି । ସରକାରୀ ଓ ବେସରକାରୀ ଉଦ୍ୟମରେ ପ୍ରତିବର୍ଷ ରାଜ୍ୟ, ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ପୁସ୍ତକ ମେଳାର ଆୟୋଜନ କରାଯାଉଅଛି । ଅତିଥିମାନଙ୍କ ଏହିପରି ମତାମତ ପ୍ରକାଶ ପାଇଛି ଟିଟିଲାଗଡ଼ ବହିହାଟର ଉଦଘାଟନୀ ଉତ୍ସବରେ । ଅନୁଷ୍ଠାନର ସଭାପତି ଭିକାରୀ ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ, ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ ନବୀନ କୁମାର ଜୈନ ବହିହାଟକୁ ଉଦଘାଟନ କରି ନଅ ଦିନ ବ୍ୟାପୀ ହେବାକୁଥିବା ଟିଟିଲାଗଡ଼ ବହିହାଟର ସଫଳତା କାମନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଓ ପ୍ରଭାବତୀ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁଶ୍ରୀ ସୁନନ୍ଦା ଯତି ପୁସ୍ତକ ପଠନର ମହତ୍ତ୍ୱ ସଂପର୍କରେ ବିଭିନ୍ନ ଦିଗକୁ ନେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଲୋହିତାକ୍ଷ ଯୋଷୀ ପୁସ୍ତକ ପଠନର ଉପାଦେୟତା ଉପରେ ତାତ୍ତ୍ୱିକ ଅଭିମତ ପ୍ରଦାନ କରିଥିଲେ । ଏହି କ୍ରମରେ ବହିହାଟର ଉପଦେଷ୍ଟା ରାଜୀବ ଲୋଚନ ପାଢ଼ୀ ସ୍ୱାଗତ ସଂଭାଷଣ ଏବଂ ସାଧାରଣ ସଂପାଦକ ବିବରଣୀ ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ କମିଟିର କୋଷାଧ୍ୟକ୍ଷ ସତ୍ୟବ୍ରତ ପଣ୍ଡା ଓ ଉପସଭାପତି ବନମାଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସଭ୍ୟମାନେ ଆନ୍ତରିକ ସହଯୋଗ କରିଥିଲେ ।