- ଚାଷୀ ଏକତାବଦ୍ଧ ହେଲେ ଚାଷୀ ସମସ୍ୟା ଦୂର ହେବ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉପରଝର ଓ ଏହି ଆଖପାଖ ଅଂଚଳ ଏକ ପ୍ରଧାନ ଅଂଚଳ । ଏଠାରେ ଅନେକ ଚାଷୀ ତାଙ୍କ ଜମିରେ ଅର୍ଥ ଲାଭକାରୀ ଫସଲ ଉତ୍ପାଦନ କରନ୍ତି । ଚାଷୀଙ୍କ ଚାଷ ଦ୍ୱାରା ହିଁ ଏ ଅଂଚଳର ପ୍ରତ୍ୟେକ ଲୋକଙ୍କ ସର୍ବାଙ୍ଗୀନ ବିକାଶ ହୋଇଥାଏ କିନ୍ତୁ ବର୍ତ୍ତମାନ ଦେଖା ଦେଉଛି ଅଂଚଳର ଚାଷୀ ଭଲ ଅମଳ କରୁଥିଲେ ହେଁ ଖୁସିରେ ନାହାନ୍ତି । ଯାହା କିଛି ଉତ୍ପାଦନ କରୁଛନ୍ତି ତାର ଆଉ ସେମାନେ ଉଚିତ ଦାମ ପାଉ ନାହାନ୍ତି । ଧାନର ଇନ୍ପୁଟ ସବସିଡି ସରକାର ଘୋଷଣା କରିଥିଲେ ହେଁ କଟନି ଛଟନି ଏବଂ ଟୋକନ ତଥା ଧାନ ବିକ୍ରି ସମସ୍ୟା ଲାଗି ରହୁଥିବାରୁ ଚାଷୀକୂଳ ଘୋର ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏଣୁ ଏ ଅଂଚଳର ଚାଷୀ ଯେ ପର୍ଯ୍ୟନ୍ତ ଏକତା ସୁତ୍ରରେ ବାନ୍ଧି ହୋଇ କୃଷକର ସ୍ୱାର୍ଥ ରକ୍ଷା ପାଇଁ ଲଢେଇ ନ କରିବେ ସେ ପର୍ଯ୍ୟନ୍ତ ଚାଷୀଙ୍କ ସମସ୍ୟା ଦୂର ହୋଇ ପାରିବ ନାହିଁ ବୋଲି ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ପଂଚାୟତର ଉପରଝର ଠାରେ ଗ୍ରାମ୍ୟ କମିଟି ଦ୍ୱାରା ଆୟୋଜନ କରାଯାଇଥିବା ଜଳନ୍ଧର ଦରବାରର ଉଦ୍ଘାଟନ ଅବସରରେ ଉପସ୍ଥିତ ଜନତାଙ୍କୁ ନିଜର ବକ୍ତବ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଥିଲେ । ସେ ଏ ଅବସରରେ ଉପସ୍ଥିତ ଜନତାଙ୍କୁ ଆହୁରି ମଧ୍ୟ କହିଥିଲେ ଯେ, ସରକାରଙ୍କ ମିଥ୍ୟା ପ୍ରତିଶୃତିରେ ଲୋକେ ଆଉ ଭାସି ଯାଆନ୍ତୁ ନାହିଁ । ଯେ ପ୍ରକୃତରେ ଅଂଚଳ ପାଇଁ ଲୋକଙ୍କ ପାଇଁ କାମ କରୁଛନ୍ତି, ଅଂଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ସୁବ୍ୟବସ୍ଥା ପାଇଁ ସହଯୋଗର ହାତ ବଢାଉଛନ୍ତି ସେ ଭଳି ନେତୃତ୍ୱଙ୍କୁ ସହଯୋଗର ହାତ ବଢାନ୍ତୁ । ଦେଖିବେ ନିଶ୍ଚୟ ଏହି ଉପରଝର ଅଂଚଳ ସାମଗ୍ରିକ ବିକାଶ ଦିଗରେ ଆଗେଇ ଯିବ । ଗ୍ରାମ୍ୟ କମିଟି ସଭାପତି ଉତ୍ତମ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଶ୍ରୀ ମିଶ୍ର ଜଳନ୍ଧର ଦରବାରକୁ ଉଦ୍ଘାଟନ କରିଥିଲେ । କବି ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ସଭା ସଂପାଦକ ଦିନେଶ ପ୍ରଧାନ, ନେହେରୁ ବିଶ୍ୱାଲ, କୁଞ୍ଜ ବିହାରି ମିଶ୍ର, ଈଶ୍ୱର ପ୍ରଧାନ, ସଂଜୀବ ପ୍ରଧାନ ମଂଚାସୀନ ଥିବାବେଳେ ରମେଶ ମହାପାତ୍ର, ଉଜ୍ୱଳ ପ୍ରଧାନ, ଅଜିଲ ବିଶ୍ୱାଲ, ରାଜା ପ୍ରଧାନ, ଯୁବରାଜ ମାଝି, ବନମାଳି ଭୁଏ ପ୍ରମୁଖ ଜଳନ୍ଧର ଦରବାର ତଥା ପାରାୟଣ ଉତ୍ସବର ସୁଆୟୋଜନ ପାଇଁ ପ୍ରମୁଖ ଭୂମିକାରେ ଅଛନ୍ତି ।