ସଇଁତଲାରେ ସବରେଜିଷ୍ଟ୍ରି କାର୍ଯ୍ୟାଳୟ ଉଦଘାଟନ

ସଇଁତଲା, (ଖୁସିରାଣୀ ସାହୁ) : ଦୀର୍ଘଦିନ ଧରି ସଇଁତଳା ଅଞ୍ଚଳବାସୀଙ୍କର ଏକ ମୁଖ୍ୟ ଦାବି ଥିଲା ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ସ୍ଥାପନ । ଏହି ଦାବିକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ, ଦାବିପତ୍ର ଓ ସାଧାରଣ ଜନମତ ପ୍ରକାଶ ହୋଇଆସୁଥିଲା । ଦୀର୍ଘ ପ୍ରତୀକ୍ଷାର ଅବସାନ ହୋଇ ଆଜି ସେହି ସ୍ୱପ୍ନ ସାକାର ହୋଇଛି । ଆଜି ସଇଁତଲାରେ ସରକାରୀ ଭାବେ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ କାର୍ଯ୍ୟକାରୀ ହୋଇଛି । ଏପର୍ଯ୍ୟନ୍ତ ଜମି ଓ ଘରବାଡ଼ି ପଞ୍ଜିକରଣ ପାଇଁ ସଇଁତଲା ଓ ଆଖପାଖ ଅଞ୍ଚଳର ଲୋକମାନେ ଟିଟିଲାଗଡ଼କୁ ଯିବାକୁ ବାଧ୍ୟ ହେଉଥିଲେ । ଏଥିରେ ସମୟ, ଅର୍ଥ ଓ ଯାତାୟାତ ଅସୁବିଧା ସହ ନାନା ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା । ବର୍ତ୍ତମାନ ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ସଇଁତଲାରେ ଖୋଲାଯାଇଥିବାରୁ ସ୍ଥାନୀୟ ଲୋକେ ବହୁତ ସୁବିଧା ପାଇବେ ବୋଲି ଆଶା କରାଯାଉଛି । ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକାସାଥିରେ ୫୭ଟି ସବ୍-ରେଜିଷ୍ଟ୍ରି କାର୍ଯ୍ୟାଳୟ ଉଦଘାଟିତ ହୋଇଥିବାବେଳେ ବଲାଙ୍ଗିର ଜିଲ୍ଲାର ସଇଁତଲା ମଧ୍ୟ ସେଥିରେ ସାମିଲ ହୋଇଛି । ଉଦଘାଟନ ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତ ରାୟ ଓ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ । ପ୍ରଥମ ସବ୍-ରେଜିଷ୍ଟ୍ରି ଅଧିକାରୀ ଭାବେ ଆଶିଷ ଏକ୍କା ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ସଫଳତାକୁ ନେଇ ସଇଁତଲା ଓକିଲ ସଂଘ ସହ ସାଧାରଣ ଜନତାଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରୀ ଦେଖାଦେଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ବିମଳ ଶର୍ମା, ଓକିଲ ସଂଘ ସଭାପତି ସୁବୋଧ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.