ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାର ସାଂସ୍କୃତିକ ବିକାଶ ଧାରା ପାଇଁ ନିରବଚ୍ଛିନ୍ନ ଭାବରେ ବଳିଷ୍ଠ ପୃଷ୍ଠଭୂମି ତିଆରି କରି ଆସୁଥିବା କଳାହାଣ୍ଡି ଉତ୍ସବ ଘୁମୁରା ଅବସରରେ ଜୟପାଟଣା ବ୍ଲକ ସ୍ତରୀୟ ମଶାଲ ସ୍ଥାପନା ସହ ଶୁଭାରମ୍ଭ ହୋଇଯାଇଛି । ଅଞ୍ଚଳର ଆରାଧ୍ୟଦେବୀ ତାଳଗୁଡ଼ର ମା’ ଡୋକରୀଙ୍କ ପୀଠରୁ ପୂଜନ ପୂର୍ବକ ଦଶ କିଲୋମିଟର ବ୍ୟାପୀ ଏକ ଭବ୍ୟ ପଟୁଆରରେ ମଶାଲ ବିଭିନ୍ନ ଗ୍ରାମ ପରିକ୍ରମା ପରେ ଉମାଶଙ୍କର ହାଇସ୍କୁଲର ଆୟୋଜିତ ଉତ୍ସବ ପଡିଆରେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ମଶାଲ ସ୍ଥାପନା କରଯାଇଥିଲା । ଏହି ଅବସରରେ ସମସ୍ତ ପଞ୍ଚାୟତ ସ୍ତରୀୟ ନିର୍ବାଚିତ ପ୍ରତିନିଧି, ଜନସାଧାରଣ, ବୁଦ୍ଧିଜୀବୀ, କଳାକାର, ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକା ଗୋଷ୍ଠୀ ବିଭିନ୍ନ ବାଦ୍ୟଯନ୍ତ୍ର ଓ ବିଭିନ୍ନ ସାଂସ୍କୃତିକ ଦଳମାନ ଉପସ୍ଥିତି ରହି ୨୩ଟି ମଶାଲ ସହ ଅଞ୍ଚଳ ପାଇଁ ବିକାଶର ବାର୍ତ୍ତା ଦେଇଥିଲେ । ଆୟୋଜିତ ସ୍ଵାଗତ ସମାରୋହର ବ୍ଲକ ଅଧ୍ୟକ୍ଷ ଥବିର ବାଗ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ବିଡିଓ ଧର୍ମରାଜ ମାଝୀ, ତହସିଲଦାର ଦୀପ୍ତିରେଖା ବାଗ, ଅତିରିକ୍ତ ତହସିଲଦାର ଅମନ୍ ଦେବ କୁଅଁର, ସରପଞ୍ଚ ସଂଘ ସଭାପତି କୈଳାଶ ଚନ୍ଦ୍ର ସାହୁ, ସମିତି ସଂଘ ସଭାପତି ଅନନ୍ତ ପଟ୍ଟନାୟକ, ସରପଞ୍ଚ ଯଦୁମଣି ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପରବର୍ତ୍ତୀ ସମୟରେ କବି ସମ୍ମିଳନୀ ସହିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।