ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବ୍ଲକ କଳାପଥର ସ୍ଥିତ ଚନ୍ଦ୍ରିକା ଏଣ୍ଟରପ୍ରାଇଜେସ ଠାରେ ଚଳିତ ବର୍ଷ ପାଇଁ କପା ମଣ୍ଡିରେ ସିସିଆଇ ଅଧୀନରେ କପା ସଂଗ୍ରହ ଆରମ୍ଭ ହୋଇଯାଇଛି । ଏହାକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶୁଭ ଉଦଘାଟନ କରିଥିବା ବେଳେ ଏହି ଅବସରରେ ସଫଳ ଓ ସର୍ବାଧିକ କପା ଉତ୍ପାଦନକାରୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ଏହି ଅବସରରେ ସେ ଅଧିକ କପା ଉତ୍ପାଦନ କରି ଚାଷୀର ରୋଜଗାର ବଢ଼ାଇବାକୁ, ଶିଳ୍ପାନୁଷ୍ଠାନର ରୋଜଗାର ଓ ବେନିଫିଟ ସହ ସରକାରଙ୍କ ବେନିଫିଟ୍ ବଢାଇବାକୁ ପରାମର୍ଶ କରିଥିଲେ ଏବଂ ସୁବିଧାରେ ଚାଷୀ ଯେମିତି କପା ବିକ୍ରୟ କରି ଉଚିତ୍ ମୂଲ୍ୟ ପାଇ ପାରିବେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ କରିଥିଲେ । ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟିର ପକ୍ଷରୁ ଖୋଲା ଯାଇଥିବା ଏହି କପା ମଣ୍ଡିରେ ବୀରମହାରାଜପୁରର ଚାଷୀମାନେ ସରକାରୀ ଦରରେ କପା ବିକ୍ରୟ କରି ପାରିବେ । ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ମନୋଜ ଜେନା, ସିସିଆଇ ଇନଚାର୍ଜ ଶରତ ମସ୍କି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରୁଦ୍ରଦେବ ରାଉତ ଯୋଗଦେଇ ଜିଲ୍ଲାପାଳଙ୍କ ସହ ସମସ୍ତ ଅତିଥି ମଣ୍ଡି ପରିଦର୍ଶନ କରିଥିଲେ । ଚନ୍ଦ୍ରିକା ଏଣ୍ଟରପ୍ରାଇଜେସର ପ୍ରୋପାଇଟର ବଣ୍ଟୁ ଅଗ୍ରୱାଲ ଓ ମନୋଜ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।