
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ପର୍ବତର ଜଙ୍ଗଲ ଭିତରେ ତଥା ପଞ୍ଚୁପାଣ୍ଡବ ଘାଟ ନିକଟରେ ଥିବା ନୃସିଂହନାଥ ପ୍ରକୃତି ନିବାସ ନବୀକରଣ କରାଯାଇ ଉଦ୍ଘାଟନ କରାଯାଇଛି । ଏହାକୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ସମ୍ବଲପୁର ଟି. ଅଶୋକ କୁମାର ଓ ବନଖଣ୍ଡ ଅଧିକାରୀ, ବରଗଡ଼ ବିକ୍ରମଦେବ ପଟ୍ଟନାୟକ ବୁଧବାର ଶୁଭ ଉଦ୍ଘାଟନ କରିଛନ୍ତି । ଇକୋ ଟୁରିଜମକୁ ନବୀକରଣ କରାଯାଇ ଏହାର ନାମ ପ୍ରକୃତି ନିବାସ ରଖାଯାଇଛି । ଏହାର ଚାରି ଗୋଟି ଅତ୍ୟାଧୁନିକ କୋଠରୀ, ଖାଇବା ଘର, ରୋଷେଇ ଘର ଓ କଫି କଟେଜ ପ୍ରମୁଖ ରହୁଥିବା ସହ ମାଗଣା ଇଣ୍ଟରନେଟ ସୁବିଧା ମଧ୍ୟ ରହିଛି । ଉଦ୍ଘାଟନ କରି ଅଶୋକ କୁମାର ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ମାନଙ୍କୁ ନିଜ ନିଜ ର କାର୍ଯ୍ୟ ଠିକ୍ ହିସାବରେ ପରିଚାଳନା କରିବା ପାଇଁ ଉପଦେଶ ଦେବା ସହ ନୃସିଂହନାଥ ପ୍ରକୃତି ନିବାସ ଦାୟିତ୍ଵରେ ଥିବା ଗୁରୁଣ୍ଡା ଗ୍ରାମର ବନ ସୁରକ୍ଷା ସଂରକ୍ଷଣ କମିଟିର ସଭ୍ୟ, ସଭ୍ୟା ମାନଙ୍କୁ ପ୍ରକୃତି ନିବାସର ସୁପରିଚାଳନା ନିମନ୍ତେ ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାଇକମାଲ ରେଞ୍ଜର ଆନନ୍ଦ ମିଶ୍ର, ପଦ୍ମପୁର ରେଞ୍ଜର ସୁଦାମ ଜଗଦଲା, ଏସିଏଫ୍ ରାଜେନ୍ଦ୍ର ଭୋଇ ଓ ନୃସିଂହନାଥ ଫରେଷ୍ଟର ଉଦ୍ଧବ ପ୍ରଧାନ ପ୍ରମୁଖଙ୍କ ସହ ସମସ୍ତ ବନ କର୍ମଚାରୀ ଉପସ୍ଥିତ ରହିଥିଲେ ।
