jayashree

ଚନ୍ଦନଭାଟି ଓ ମିର୍ଦ୍ଧାପାଲି ଅଞ୍ଚଳ ବୁଲିଲେ ନରସିଂହ : ବିଭିନ୍ନ ପ୍ରକଳ୍ପର ହେଲା ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ

  • ନିର୍ବାଚନ ପୂର୍ବରୁ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଞ୍ଚଳର ବିକାଶ ଏକ ନିରନ୍ତର ପ୍ରକ୍ରିୟା । ଲୋକେ ତାର ଆବଶ୍ୟକତାକୁ ସବୁବେଳେ ପ୍ରାଥମିକତା ଭିତ୍ତିରେ ପୁରଣ କରିବା ପାଇଁ ଚେଷ୍ଟା କିମ୍ବା ଦାବୀ କରିବା ଦରକାର । ବିଗତ ୯ ବର୍ଷ ହେଲା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି । ତାହା ଗମନାଗମନ ହେଉ କି କୃଷି । ଶିକ୍ଷା, ସ୍ୱାସ୍ଥ୍ୟ ହେଉ କି କ୍ରୀଡ଼ା, ସବୁ ଦିଗରେ ଗ୍ରାମାଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇଛି । ଲୋକଙ୍କର ଦାବୀ କେବେ ଅନ୍ତ ହୁଏ ନାହିଁ । କାରଣ ଲୋକେ ଦାବୀ ନକରିଲେ ବିକାଶର ପ୍ରକ୍ରିୟା ଠପ୍‌ ହୋଇଯିବ । ତେଣୁ ଲୋକଙ୍କ ଦାବୀ ମୁତାବକ ଗ୍ରାମାଞ୍ଚଳର ସମସ୍ତ ବିକାଶମୂଳକ କାର୍ଯ୍ୟ ଓ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ନିର୍ବାଚନ ପୂର୍ବରୁ ସମସ୍ତ କାମ ସମ୍ପୂର୍ଣ୍ଣ କରାଯିବ ବୋଲି ଆଜି ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଓ ମିର୍ଦ୍ଧାପାଲି ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶୁଭ ଉଦ୍‌ଘାଟନ ପରବର୍ତ୍ତୀ ସଭାମାନଙ୍କରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ଥିବା ଜନସାଧାରଣଙ୍କୁ ବକ୍ତବ୍ୟରେ କହିଛନ୍ତି ।

ଆଜି ପୂର୍ବାହ୍ନରେ ବିଧାୟକ ଶ୍ରୀ ମିଶ୍ର ପ୍ରଥମେ ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ ତୁଲଣ୍ଡିଠାରେ ବିଧାୟକ ପାଣ୍ଠିରୁ ୭ ଲକ୍ଷ ଟଙ୍କାର ଏକ ରାସ୍ତାର ଶୁଭ ଉଦ୍‌ଘାଟନ କରିଥିଲେ । ପରେ ଗୁରାଣ୍ଡିପାଲିରୁ ମିର୍ଦ୍ଧାପାଲି ଛକ ପର୍ଯ୍ୟନ୍ତ ନିଜ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ଗ୍ରାମ୍ୟ ରାସ୍ତା ଏବଂ ଆଉ ୩ ଲକ୍ଷ ଟଙ୍କାର ଏକ କଲଭର୍ଟ ଓ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସିନ୍ଦୁରବାହାଲରୁ ମାଉଳିଗୁଡ଼ି ପର୍ଯ୍ୟନ୍ତ ଏକ ରାସ୍ତାର ଭିତ୍ତିପ୍ରସ୍ତର ପ୍ରଦାନ କରିଥିଲେ । ପରେ ପରେ ସିନ୍ଦୁରବାହାଲଠାରେ ୫ ଲକ୍ଷ ଅନୁଦାନରେ ଜଗନ୍ନାଥ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ଦେଇଥିଲେ ବିଧାୟକ ଶ୍ରୀ ମିଶ୍ର । ଏଠାରେ ଅନୁଷ୍ଠିତ ସଭାରେ ଲୋକଙ୍କ ଦାବୀ ମୁତାବକ ତଲିପଡ଼ାଠାରେ ଏକ ନଳକୂପ ଏବଂ ସିନ୍ଦୁରବାହାଲରୁ ବରକାନି ଛକ ରାସ୍ତାର ନିର୍ମାଣ ଶୀଘ୍ର ହେବ ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ମିର୍ଦ୍ଧାପାଲି ପଞ୍ଚାୟତ ଅନ୍ତର୍ଗତ ବରକାନି ଠାରେ ନିଜ ବିଧାୟକ ପାଣ୍ଠିରୁ ପ୍ରଦତ୍ତ ଏକ ଗ୍ରାମ୍ୟ ମଣ୍ଡପର ବିଧାୟକ ଶ୍ରୀ ମିଶ୍ରଙ୍କ କର କମଳରେ ଉଦ୍‌ଘାଟିତ ହୋଇଥିଲା । ତା’ସହ ବରକାନିରୁ ଟିକେ ମୁଣ୍ଡା ପର୍ଯ୍ୟନ୍ତ ଏକ ରାସ୍ତାର ଭିତ୍ତିପ୍ରସ୍ତର ବିଧାୟକ ଶ୍ରୀ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ପରେ ବିଧାୟକ ଶ୍ରୀ ମିଶ୍ର ଲୋକଙ୍କଠାରୁ ସମସ୍ୟା ବିଶେଷ କରି ଭତ୍ତା, ରାସନ କାର୍ଡ ଓ ବିଜୁଳିକୁ ନେଇ ସମସ୍ୟା ଶୁଣିବା ସହ ଏ ଦିଗରେ ଅଧିକାରୀଙ୍କ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ନେବାର ବ୍ୟବସ୍ଥା କରିବେ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଯୋଶବନ୍ତି ବଘାର, ବିଜ୍ଞାନନ୍ଦ ମିଶ୍ର, ହରେକୃଷ୍ଣ ପଧାନ, ଦିନବନ୍ଧୁ ପଟେଲ, ବିହାରୀ ପାଣ୍ଡେ, ମଚିନ ମହାକୁର, ସରପଞ୍ଚ ପିଙ୍କୁ ପଟେଲ, ପ୍ରୀତମ ପାଣିଗ୍ରାହୀ, ବିଜୁ ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ, ସମିତି ସଭ୍ୟା ସଙ୍ଗୀତା ପାଣିଗ୍ରାହୀ, ଶ୍ରୀପତି ପଧାନ, ଶ୍ରୀପତି ଦଣ୍ଡସେନା, ତ୍ରିଲୋଚନ ପୋଢ, ହିମାଂଶୁ ପାଣିଗ୍ରାହୀ, ଚିନ୍ମୟ ପାଣିଗ୍ରାହୀ, ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.