
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚାନ୍ଦୋତରା ବସଷ୍ଟାଣ୍ଡରେ ହାଇମାକ୍ସ ଲାଇଟ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ସିନ୍ଧେକେଲା ଦ୍ୱାରସେନି ମନ୍ଦିରଠାରୁ ବିରାଟ ବାଇକ ରାଲିରେ ବାହାରି ଚାନ୍ଦୋତରା ବସଷ୍ଟାଣ୍ଡଠାରେ ପହଞ୍ଚିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଚାନ୍ଦୋତରା ସରପଞ୍ଚ ଜିତେନ୍ଦ୍ର ବଚ୍ଛାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ସିନ୍ଧେକେଲା ସମିତି ସଭ୍ୟା କୁନ୍ତୀ ସାହୁ, ପୂର୍ବତନ ସମିତି ସଭ୍ୟା ଗୌରୀ ସାହୁ, ଯୁବନେତା ଘାସିରାମ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଚାନ୍ଦୋତରା ବସଷ୍ଟାଣ୍ଡ ଉପରେ ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ଯାତ୍ରୀମାନେ ନିର୍ଭର କରନ୍ତି । ଏଠାରେ ହାଇମାକ୍ସ ଲାଇଟ ନ ଥିବାରୁ ବିଭିନ୍ନ ସମୟରେ ଦୈବୀ ଦୁର୍ଘଟଣା ଘଟି ଅନେକ ପଥଚାରିଙ୍କ ମୃତ୍ୟୁ ହୋଇଛି । ସେଥିପାଇଁ ସ୍ଥାନୀୟ ଲୋକେ ହାଇମାକ୍ସ ଲାଇଟ ଲଗାଇବା ପାଇଁ ବିଭିନ୍ନ ସମୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ ପଦକ୍ଷେପ ନେଇଥିବାରୁ ସ୍ଥାନୀୟ ବାସିନ୍ଦା କୃତଜ୍ଞତା ଜ୍ଞାପନ କରିଛନ୍ତି । ଅଞ୍ଚଳରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରେ ପଞ୍ଚାୟତରେ ନିର୍ବାଚିତ ଜନ ପ୍ରତିନିଧି ଓ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।