ନୂତନ ଦେୱାନୀ ଜଜ୍ ତଥା ଜେଏମ୍‌ଏଫ୍‌ସିର ଶୁଭ ଉଦ୍‌ଘାଟନ

  • ଶେଷ ଧାଡ଼ିର ନ୍ୟାୟ ଆଶାୟୀ ମଣିଷ ପାଖରେ ଆଇନ ସେବା ପହଞ୍ଚିବା ଉଚିତ୍ : ମୁଖ୍ୟ ବିଚାରପତି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ନବ ନିର୍ମିତ ଦେୱାନୀ ଜଜ୍ ତଥା ଜେଏମ୍‌ଏଫ୍‌ସିର ନୂତନ କୋଠା ଶୁଭ ଉଦ୍‌ଘାଟନ ମାନ୍ୟବର ମୁଖ୍ୟ ବିଚାରପତି ଓଡ଼ିଶା ହାଇ କୋର୍ଟ ଡ଼କ୍ଟର ଜଷ୍ଟିସ ଏସ ମୁରଲୀ ଧରଙ୍କ କରକମଳରେ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନଙ୍କୁ ଏକ ଭବ୍ୟ ସ୍ଵାଗତ କଳାହାଣ୍ଡିର ଲୋକ ନୃତ୍ୟ ଘୁମୁରା, ଆଦିବାସୀ ନୃତ୍ୟ, ଢାପ, ସିଂ ବାଜାର ତାଳେ ତାଳେ ପାଛୋଟି ନେବା ପରେ ମୁଖ୍ୟ ଅତିଥି କୋର୍ଟ କୋଠା ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଶୁଭ ଉଦ୍‌ଘାଟନ କରିଥିଲେ । ଏହାପରେ କୋର୍ଟ ପରିଦର୍ଶନ କରିବା ପରେ ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଓକିଲ ସଂଘର ସଦସ୍ୟମାନେ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀର ମୁଜିକ୍ ଆଇନଜୀବୀ ରାଜେନ୍ଦ୍ର ଛତରା ପରିବେଷଣ କରିଥିଲେ । ଜିଲ୍ଲା କୋର୍ଟର ବିଚାରପତି ଦୀପ୍ତି ରଞ୍ଜନ କାନୁନ୍ ଗୋ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼କ୍ଟର ଜଷ୍ଟିସ ବି ଆର୍ ଷଡ଼ଙ୍ଗୀ(ବିଚାରପତି ଓଡ଼ିଶା ହାଇକୋର୍ଟ ତଥା ବିଲ୍ ଡିଂ କମିଟି ଅଧ୍ୟକ୍ଷ) ଯୋଗଦେଇ ମ.ରାମପୁର ବାର୍‌ର କାର୍ଯ୍ୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବିଚାରପତି ଡକ୍ଟର ମୂରଲୀଧର ସମାଜର ଶେଷ ମଣିଷ ପାଇଁ ନ୍ୟାୟିକ ବ୍ୟବସ୍ଥା ଯୋଗାଇ ଦେବାରେ ଓକିଲମାନଙ୍କ ଭୂମିକା ଅନନ୍ୟ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟର ରେଜିଷ୍ଟର ଜେନେରାଲ ପ୍ରତାପ କୁମାର ପାତ୍ର, ରେଜିଷ୍ଟର (ଭିଜିଲାନ୍ସ) ଅଖିଳ କୁମାର ପଶ୍ଚିମକବାଟ, କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ନର୍ଲା ବିଧାୟକ ଭୂପିନ୍ଦର ସିଂ ମ.ରାମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରତ୍ୟାଶା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମ ରାମପୁର ବାର୍‌ଆସୋସିଏସନ୍‌ର ବରିଷ୍ଠ ସଦସ୍ୟ ଗଙ୍ଗାଧର ମହାନ୍ତି, ବିଶ୍ୱମ୍ବର ମହାନ୍ତି, ବିମଳ କୁମାର ଚାନ୍ଦ, ପୁଷ୍ପେନ୍ଦ୍ର ସିଂହଦେଓ, ବିଷ୍ଣୁ ପ୍ରସାଦ ଅଗ୍ରୱାଲ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଓକିଲ ସଂଘ ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କୁ ପ୍ରୀତି ଉପହାର ସ୍ବରୂପ କଳାହାଣ୍ଡି ଜିଲ୍ଲାର ଖଇର ମାଳର ପ୍ରସିଦ୍ଧ କାଷ୍ଠ ନିର୍ମିତ ଗଜାନନ ମୂର୍ତ୍ତି ପ୍ରଦାନ କରାଯାଇଥିଲା । ଆଇନଜୀବୀ ସପନ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଓକିଲ ସଂଘ ସଂପାଦକ ଯତୀନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମ.ରାମପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ କୋର୍ଟ କର୍ମଚାରୀ ସହଯୋଗ କରିଥିଲେ । ଏହି କୋର୍ଟ କୋଠା ଉଦ୍‌ଘାଟନ ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।

Leave A Reply

Your email address will not be published.