ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସହାୟତାରେ ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକାମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ରକୁ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟଅତିଥି ଭାବରେ ଯୋଗଦାନ ପୂର୍ବକ ଉଦ୍ଘାଟନ କରିଛନ୍ତି । ବାପା ମା’ଙ୍କୁ ହରାଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଆସୁଥିବା ୧୮ ବର୍ଷରୁ ଅଧିକ ବୟସର କିଶୋରୀ ବାଳିକାମାନଙ୍କୁ ସ୍ୱାବଲମ୍ବୀ କରିବା ତଥା ବିଭିନ୍ନ ବାହ୍ୟ କାର୍ଯ୍ୟାବଳୀରେ ସକ୍ଷମ ନିମନ୍ତେ ଏହି ଯୋଜନା କାର୍ଯ୍ୟକାରୀ ହୋଇଅଛି । ପୋଲିଟେକନିକରେ ଅଧ୍ୟୟନରତ ଚନ୍ଦ୍ରକାନ୍ତି ହାତୀ, ଲିସା ପାତ୍ର, ସରକାରୀ ଆଇଟିଆଇରେ ଅଧ୍ୟୟନ କରୁଥିବା ଆନନ୍ଦିନୀ ଦେହେରୀ, ସୋନପୁର ମହାବିଦ୍ୟାଳୟରେ ଯୁକ୍ତ ୩ ଅଧ୍ୟୟନରତ ସୁମି ନାଏକ ଏବଂ ବବଲି ବାଦୀ ପ୍ରଥମ ପର୍ଯ୍ୟାୟରେ ଶିଶୁ ଗୃହ ଛାଡି ଶିଶୁ ଯତ୍ନ ପରବର୍ତ୍ତୀ କେନ୍ଦ୍ରରେ ରହିବାର ଆରମ୍ଭ କରିଛନ୍ତି । ପିଲାମାନେ ନିଜର ଦୈନନ୍ଦିନ କାର୍ଯ୍ୟ କରିବା ସହ ପାଠପଢ଼ାରେ ଅଧିକ ମୂଲ୍ୟଯୁକ୍ତ ସମୟ ଦେଇ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ସ୍ୱରୋଜଗାରକ୍ଷମ ହେବା ପାଇଁ ଏହା ସେମାନଙ୍କୁ ବିଶେଷ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ପ୍ରକାଶ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କିଶୋରୀ ନ୍ୟାୟ ବୋର୍ଡ ସଦସ୍ୟ ଶଙ୍କର୍ଷଣ ପଣ୍ଡା, ଚାଇଲଡ ଲାଇନ ସଂଯୋଜକ ମନୋଜ ପଣ୍ଡା, ଆନନ୍ଦିନୀ ବେହେରା, ଆଇନ ଅଧିକାରୀ କେଶବ ଚନ୍ଦ୍ର ମେହେର ପ୍ରମୁଖ ଯୋଗଦାନ କରି ନିଜ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଶିଶୁ ଗୃହର ସୁଜାତା ବେହେରା, ସୁବ୍ରତ ପ୍ରଧାନ, ଟିକେଶ୍ୱର ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ ।