ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ନରସିଂହ

  • ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ – ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ହଲ୍‌ ଠାରେ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇମ୍ପେରିଆଲ କ୍ଲାସିକ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ନିଜ ବକ୍ତବ୍ୟରେ ସ୍ୱାସ୍ଥ୍ୟ ହିଁ ସବୁଠୁ ମୂଲ୍ୟବାନ ସମ୍ପଦ କହିବା ସହ ସମସ୍ତେ ନିଜ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ପାଇଁ ଉପଦେଶ ଦେଇଥିଲେ । ସୁନ୍ଦର ସ୍ୱାସ୍ଥ୍ୟ ନିଜ ଶରୀରକୁ ମଜବୁତ କରିବା ସହ ମନକୁ ମଧ୍ୟ ପ୍ରଫୁଲ୍ଲିତ କରିଥାଏ । ସୁସ୍ଥ ଶରୀର ଓ ମନ ମଣିଷକୁ ଆଗକୁ ନେଇଯାଏ । ଫଳରେ ବ୍ୟକ୍ତିବିଶେଷ ସହିତ ସମାଜ ମଧ୍ୟ ଆଗକୁ ବଢେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଲୋକେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ସହ ନିରୋଗୀ ହେବାର ପ୍ରେରଣା ପାଉଛନ୍ତି । ବର୍ତ୍ତମାନ ସମାଜ ଧୀରେ ଧୀରେ ଶାରିରୀକ ପରିଶ୍ରମକୁ ଭୁଲି ଯାନ୍ତ୍ରୀକ ସହାୟତାକୁ ଆପଣାଇ ନେଇଛି । ଶାରିରୀକ ପରିଶ୍ରମ ଅଭାବରେ ନାନାଦି ରୋଗ ଦୁଃଖରେ ଲୋକେ ଛନ୍ଦି ହେଉଛନ୍ତି । ଏଣୁ ଯେତେ ଧନ, ଯଶ ଥିଲେ ସୁଦ୍ଧା ସ୍ୱାସ୍ଥ୍ୟ ନଥିଲେ ତାହାକୁ ଉପଭୋଗ କରି ହୁଏ ନାହିଁ । ତେଣୁ ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ ବୋଲି ବିଧାୟକ ଶ୍ରୀ ମିଶ୍ର ମତବ୍ୟକ୍ତ କରିଛନ୍ତି ।

ସଭାପତି ଗୋପାଳ କୃଷ୍ଣ ବାଗଙ୍କ ସଭାପତିତ୍ୱ ଓ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ତଥା ଇଣ୍ଡିଆନ ବଡି ବିଲ୍ଡିଂ ଏଣ୍ଡ ଫିଟନେସ୍‌ ଫେଡେରେସନର ସାଙ୍ଗଠନିକ ସଂପାଦକ ବାଳକୃଷ୍ଣ ବାଗଙ୍କ ପରିଚାଳନା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କେନ୍ଦ୍ରୀୟ ପୋଲିସ ବଳର କମାଣ୍ଡେଣ୍ଟଣ୍ଟ ପବନ କୁମାର ତିୱାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁନ୍ଦର ସ୍ୱାସ୍ଥ୍ୟର ଆବଶ୍ୟକତା ଓ ଉପଯୋଗିତା ଉପରେ ମତ ପୋଷଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେବ କଳିଙ୍ଗ ବଡି ବିଲ୍ଡିିଂ ଏସୋସିଏସନ ରାଜ୍ୟରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ସାରା ରାଜ୍ୟରେ ଅୟୋଜନ କରି ଆସିବା ସହିତ ନୂତନ ପ୍ରତିଭାକୁ ସୁଯୋଗ ଦେଇ ଆସୁଛି । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସଂଘର କାର୍ଯ୍ୟକର୍ତ୍ତାମାନେ ଉଭୟ ଅତିଥିଙ୍କୁ ପାଛୋଟି ନେବା ସହ ଫୁଲତୋଡା ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ପରେ ପରେ ବିଧାୟକ ଶ୍ରୀ ମିଶ୍ର ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରରେ ସାରା ରାଜ୍ୟରୁ ବଛା ବଛା ପ୍ରତିଯୋଗୀମାନେ ଭାଗ ନେଇ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.