ଆସାମରେ ଗୁରୁତ୍ବପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପ ଏବଂ ଇଞ୍ଜିନିୟରିଂ କଲେଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଠାରେ ଇଣ୍ଡିଆନ ଅଏଲର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍ ଜରିଆରେ ଉଦଘାଟନ କରିଛନ୍ତି । ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ । ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ ।ବ୍ରହ୍ମପୁତ୍ର ନଦୀର ଉତ୍ତର ତଟ କିପରି ଭାବେ ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମାକୁ ଜନ୍ମ ଦେଇଥିଲା ଏବଂ ଜୟମୋତି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ ଆହୁରି କହିଥିଲେ ଯେ ଏହି ଅଞ୍ଚଳ ଏପରି ଅନେକ ବ୍ୟକ୍ତିତ୍ବଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆସାମର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି ।ସେ କହିଥିଲେ ଯେ ଆସାମର ସନ୍ତୁଳିତ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ୟ୍ୟ କରୁଛନ୍ତି ଏବଂ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଜୋର୍ ଦିଆଯାଉଛି ।

ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତରତଟରେ ଅନେକ ସମ୍ଭାବନା ଥିବା ସତ୍ତ୍ବେ ପୂର୍ବର ସରକାର ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ ।ଏ ଅଞ୍ଚଳ ପାଇଁ ଯୋଗାଯୋଗ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଶିଳ୍ପପ୍ରତିଷ୍ଠାର ଆବଶ୍ୟକତା ପ୍ରତି ପ୍ରାଥମିକତା ଦିଆଯାଇ ନଥିଲା ।ସେ ଆହୁରି କହିଥିଲେ ଯେ ‘ସବକାସାଥ୍, ସବକା ବିକାଶ ଓ ସବକା ବିଶ୍ୱାସ’ ମନ୍ତ୍ର ନେଇ କାମ କରୁଥିବା ସରକାର ଏହି ବାଛ ବିଚାରକୁ ଦୂର କରିପାରିଛନ୍ତି । ସରକାରଙ୍କ ଦ୍ୱାରା ଆସାମରେ ଉଦଘାଟିତ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ।

ସେ କହିଥିଲେ ଯେ ଆଜି ଏହି ଅଞ୍ଚଳ ପାଇଁ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରାଯାଇଛି । ଏହି ପ୍ରକଳ୍ପ ଗୁଡ଼ିକ ଏହି ଅଞ୍ଚଳର ପରିଚୟକୁ ବଦଳାଇ ଦେବ ଏବଂ ଶକ୍ତି ଓଶିକ୍ଷାର କେନ୍ଦ୍ର ପାଲଟିବ । ଏଗୁଡ଼ିକ ଆସାମକୁ ନୂଆ ପରିଚୟ ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ନିଜର ସାମର୍ଥ୍ୟ ଓ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବାକୁ ହେବ । ଗତ କିଛି ବର୍ଷ ହେବ ଭାରତର ବିଶୋଧନ କ୍ଷମତା, ବିଶେଷ କରି ବୋଙ୍ଗାଇଗାଓଁ ବିଶୋଧନାଗାର ଠାରେ, ବହୁମାତ୍ରାରେ ବୃଦ୍ଧିପାଇଛି ।

Leave A Reply

Your email address will not be published.